ସୁନୁସୁନିଆ ଦେଉଛି ରୋଜଗାର: ଧାନ ଓ ପନିପରିବା ଚାଷରୁ କ୍ଷତି ସହିବା ପରେ ସୁନୁସୁନିଆ ଶାଗ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ 

156

କନକ ବ୍ୟୁରୋ: ଯାଜପୁର କୋରେଇ ବ୍ଲକରେ ସୁନୁସୁନିଆ ଶାଗ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । ଏକର ଏକର ଜମିରେ କରିଛନ୍ତି ଶାଗଚାଷ । କମ୍ ସାର ପ୍ରୟୋଗରେ ଏହି ଚାଷ କରାଯାଉଥିବାରୁ ଏହା ସ୍ୱାସ୍ଥ୍ୟ ଉପଯୋଗୀ ହେଉଛି । ତେଣୁ ଏହାକୁ ବିକ୍ରି କରିବାରେ କିଛି ସମସ୍ୟା ଦେଖାଦେଉନାହିଁ । ବାହାର ରାଜ୍ୟକୁ ଯାଇ ଦାଦନ ଖଟିବା ଅପେକ୍ଷା ଶାଗ ଚାଷ କରି ଲାଭବାନ ହେଉଥିବା କହିଛନ୍ତି ଚାଷୀ ।

ଏକର ଏକର ଜମିରେ ହୋଇଛି ସବୁଜ ଶାଗର ଗାଲିଚା । ଯିଏ ଦେଖୁଛି ତା’ ମନ ପୁରିଯାଉଛି । ସୁନୁସୁନିଆ ସାଗ ଚାଷ କରି ଲାଭବାନ ହେଉଛନ୍ତି ଯାଜପୁର କୋରେଇ ବ୍ଲକର ଚାଷୀ । ମିର୍ଜାପୁର, ସିଙ୍ଗଡ଼ା, ସୋତି, ହାଟସାହି ଅଂଚଳରେ ଏକର ଏକର ଜମିରେ ଚାଷୀ ସୁନୁସୁନିଆ ଶାଗ ଚାଷ କରିଛନ୍ତି । ଧାନ ଓ ପନିପରିବା ଚାଷ କରି ଅଧିକ ଲାଭ ନମିଳିବାରୁ ବାଧ୍ୟ ହୋଇ ଶାଗଚାଷକୁ ଆପଣାଇଛନ୍ତି । ଆଉ ଏଥିରେ ଭଲ ଦୁଇପଇସା ଲାଭ ମଧ୍ୟ ମିଳୁଛି । ବାହାର ରାଜ୍ୟକୁ କାମ କରିବାକୁ ଯିବା ଅପେକ୍ଷା ନିଜ ଘର ପାଖରେ ଏଭଳି ଚାଷ କରି ଲାଭବାନ ହେଉଥିବାରୁ ଖୁସି ପ୍ରକାଶ କରିଛନ୍ତି ଚାଷୀ । ଏହି ଚାଷ ଯୋଗୁଁ ପରିବାର ପ୍ରତିପୋଷଣରେ ମଧ୍ୟ ସହାୟକ ହେଉଛି ।

ପୂର୍ବରୁ ଏହି ଅଂଚଳର ଚାଷୀ କେବଳ ଧାନ ଚାଷ କରୁଥିଲେ । କିନ୍ତୁ ଧାନ ଚାଷରେ ଅନେକ ସମସ୍ୟା ଓ ପ୍ରାକୃତିକ ବିପର୍ଯୟ ଯୋଗୁଁ ବ୍ୟାପକ କ୍ଷତି ସହୁଥିଲେ ଚାଷୀ । କିନ୍ତୁ ସୁନୁସୁନିଆ ଶାଗ ଚାଷରେ ଏସବୁ ସମସ୍ୟା ଦେଖିବାକୁ ମିଳୁନାହିଁ । କମ୍ ସାର ପ୍ରୟୋଗ କରି ଅଧିକ ଅମଳ ହେଉଥିବା କହିଛନ୍ତି ଚାଷୀ । ଚାଷୀଙ୍କ ଠାରୁ ବ୍ୟବସାୟୀ ମାନେ ଶାଗ ନେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଉଛନ୍ତି । ଯେଉଁଥିରେ ଚାଷୀ ବର୍ଷକୁ ୫୦ ହଜାରରୁ ଅଧିକ ଲାଭ ପାଉଛନ୍ତି । ଏହି ଚାଷରେ ଭଲ ଲାଭ ମିଳୁଥିବାରୁ ଅଧିକାଂଶ ଚାଷୀ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି ଚାଷୀ ।

ପାରମ୍ପରିକ ଚାଷ ପରିବର୍ତେ ଏଭଳି ନୂଆ ନୂଆ କରି ଭଲ ଲାଭପାଇବା ସହ ଅତ୍ମନିର୍ଭର ହୋଇପାରୁଛନ୍ତି ଯାଜପୁର କୋରେଇ ଅଂଚଳର ଚାଷୀ । ତେଣୁ ଅନ୍ୟ ଚାଷ ଭଳି ଏହି ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।