ଟୋକନ ପାଇବା ପରେ ବି ମଣ୍ଡିରେ ଧାନ ବିକ୍ରି କରିପାରୁନାହିଁ ଚାଷୀ । ପ୍ରତିବାଦରେ ପିଲାଛୁଆଙ୍କୁ ମଣ୍ଡିରେ ପାଠ ପଢାଉଛନ୍ତି ଚାଷୀ ।

114

କନକ ବ୍ୟୁରୋ : ବଣେଇରୁ ଆସିଛି ଧାନମଣ୍ଡିରୁ ଅଭିନବ ପ୍ରତିବାଦର ଚିତ୍ର । ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରିଲେନି ଚାଷୀ । ଶେଷରେ ଧାନ ମଣ୍ଡିରେ ଧାନ ବସ୍ତାକୁ ଜଗିବା ସହ ପିଲାଙ୍କୁ ପାଠ ପଢାଉଛନ୍ତି ଚାଷୀ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଣାଇ ଉପଖଣ୍ଡ ସଦର ମହକୁମାର ବଣାଇ ଲ୍ୟାମ୍ପରୁ । ବଣାଇ ଉପୁରଡା ଗାଁର ଚାଷୀ ଅଶୋକ ସାହୁ ତାଙ୍କର ତିନି ଝିଅଙ୍କୁ ମଣ୍ଡିରେ ବସାଇ ପାଠ ପଢାଉଛନ୍ତି ।

ଧାନମଣ୍ଡିରେ ବିକ୍ରି ଅପେକ୍ଷାରେ ରହିଛି ୧୧୦ କୁଇଁଟାଲ ଧାନ । ଆଜି ଅର୍ଥାତ୍ ଫେବ୍ରୁଆରୀ ୪ ତାରିଖ ପାଇଁ ଟୋକନ ପାଇଥିଲେ ମଧ୍ୟ ତାହା ବିକ୍ରି ହୋଇପାରିନି । ଏହାର ପ୍ରତିବାଦରେ ତିନି ଝିଅଙ୍କୁ ବସାଇ ଲ୍ୟାମ୍ପ ପରିସରରେ ପାଠ ପଢାଉଛନ୍ତି ଚାଷୀ ଅଶୋକ କୁମାର । ସେପଟେ ଧାନ ବିକ୍ରିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲ୍ୟାମ୍ପ ଏମଡି । ଆଉ ୧୨ ହଜାର କୁଇଁଟାଲ ଧାନ ବିକ୍ରି ପରେ ଯାଇ ଅଶୋକ କୁମାରଙ୍କ ସିରିଏଲ ଆସିବ ବୋଲି ସେ କହିଛନ୍ତି । ତେବେ କେବଳ ଅଶୋକ କୁମାର ନୁହଁନ୍ତି ଏପରି ଅନେକ ଚାଷୀ ଟୋକନ ପାଇଥିଲେ ମଧ୍ୟ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ଆଣିଛନ୍ତି । ସରକାର ଏଥର ଟାର୍ଗେଟ୍ ନବଢାଇଲେ ଚାଷୀ ଧାନ ବିକିବାରେ ସମସ୍ୟାର ସମ୍ମୁଖୀନ ହେବ ବୋଲି କୁହାଯାଉଛି ।