କନକ ବ୍ୟୁରୋ: ନିଆଳିରେ ବାଇଗଣ ଚାଷୀଙ୍କ ଆଖିରେ ଲୁହ । ବାଇଗଣ କିଲୋ ପିଛା ୪ରୁ ୫ଟଙ୍କାରେ ବିକ୍ରି କରୁଛନ୍ତି ନିଆଳି ଅଂଚଳର ଚାଷୀ । ବାଇଗଣର ଅଭାବି ବିକ୍ରି ଯୋଗୁଁ ବିଲରୁ ବାଇଗଣ ନତୋଳି ଛାଡ଼ି ଦେଉଛନ୍ତି ଚାଷୀ । ବାଇଗଣ ଗଛରେ ବୁଢା ହେଲାଣି । ଚାଷୀଙ୍କ କହିବା ଅନୁସାରେ ଦୀର୍ଘ ୫୦ ବର୍ଷ ହେଲା ଏଭଳି ସମସ୍ୟା ସେମାନେ କେବେ ଭୋଗି ନଥିଲେ । ଅଖାରେ ଅଖାଏ ବାଇଗଣ ନେଇ ବଜାରକୁ ଗଲେ ଖାଲି ଅଖା ନେଇ ଘରକୁ ଫେରୁଛନ୍ତି । କମ୍ ଦରରେ ବିକ୍ରି ହେଉଥିବାରୁ ଚାଷୀ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ଉଠୁନାହିଁ । ବଜାର ନିୟନ୍ତ୍ରଣ ନଥିବାରୁ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଆନେକ ଚାଷୀ ଏବେ ଏହି ଚାଷରୁ ମୁହଁ ଫେରାଇଲେଣି । ଚାଷୀ କଠିନ ପରିଶ୍ରମ କରି ବିଲରେ ସୁନା ଫସଲ ଫଳାଇଥିଲେ । କେତେ ଆଶା ଥିଲା ଭଲ ଦୁଇ ପଇସା ମିଳିବ । ହେଲେ ସେହି ସ୍ୱପ୍ନ ଏବେ ସ୍ୱପ୍ନରେ ରହିଯାଇଛି । ନିଆଳି ବ୍ଲକର ପାଖାପାଖି ୮୦ ଭାଗ ଚାଷୀ ବର୍ଷକରୁ ୬ମାସ ବାଇଗଣ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଚଳିତ ବର୍ଷ ବାଇଗଣ ବ୍ୟବସାୟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।