ବରଗଡ଼ର କଳାପାଣି ପରେ ଅତାବିରା ଓ ବିଜାପାଲିରୁ ଆସିଲା ଦୁଃଖ ଖବର : ପୁଣି କୀଟନାଶକ ପିଇ ଆତ୍ମହତ୍ୟା କଲେ ୨ଜଣ ଚାଷୀ

27

କନକ ବ୍ୟୁରୋ : ବରଗଡରୁ ପୁଣି ଆସିଛି ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା ଖବର । ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିଜାପାଲି ଅଂଚଳର ଭକ୍ତ ଭୁଏ ନାମକ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ଓ ତାଙ୍କ ପତ୍ନୀ ବିଲରେ କୀଟନାଶକ ପିଇ ଦେଇଥିଲେ । ସେମାନଙ୍କ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପଦ୍ମପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଭକ୍ତ ଭୁଏଙ୍କ ମୃତ୍ୟୁ ଘଟିଥିଲା ।

ଅନ୍ୟପଟେ ତାଙ୍କ ପତ୍ନୀ ଭାରତୀ ଭୁଏ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭକ୍ତ ଭୁଏ ୨ ଏକର ଜମିରେ ଭାଗଚାଷ କରୁଥିଲେ । ଚଳିତ ବର୍ଷ ବର୍ଷା ଅଭାବରୁ ତାଙ୍କ ଜମିରେ ସଂପୂର୍ଣ୍ଣ ଚାଷ ନଷ୍ଟ ହୋଇଯାଇଛି । ଏପଟେ ଋଣ ଭାର ଯୋଗୁଁ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ତେବେ ସରକାରଙ୍କ ଏତେ ସବୁ ଆଶ୍ୱାସନା ଓ ପ୍ରତିଶ୍ରୁତି ପରେ ମଧ୍ୟ ଚାଷୀ ବିଶ୍ୱାସକୁ ନେଇ ପାରୁନଥିବା ଚର୍ଚ୍ଚା ହେଉଛି ।