ରାଜରାସ୍ତାରେ ଅନ୍ନଦାତା, ସରକାରଙ୍କୁ ଚାଷୀ ମାଗିଲେ ହକ୍ ! ପ୍ରାଇସ୍, ପ୍ରେଷ୍ଟିଜ୍ , ପେନସନ୍ ଦାବିରେ ଓଡିଶାରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନବନିର୍ମାଣ କୃଷକ ସଂଗଠନର ଅନଶନ

17

କନକ ବ୍ୟୁରୋ : କୃଷକ ବନାମ ସରକାର । ଓଡିଶା ଓ ମହାରାଷ୍ଟ୍ରରେ ଏବେ ଏଭଳି ପରିସ୍ଥିତି । ରାଜରାସ୍ତାରେ ସରକାର ବିରୋଧୀ ନାରା ଦେଇ ଆନ୍ଦୋଳନକୁ ଓହ୍ଲାଇ ଆସିଛନ୍ତି ଚାଷୀ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ କରିଛନ୍ତି ଆନ୍ଦୋଳନ । ନବ ନିର୍ମାଣ କୃଷକ ସଂଗଠନ କହିଛି, ଦାବି ପୂରଣ ହେବାଯାଏଁ ଆନ୍ଦୋଳନ ଚାଲିବ । ସେପଟେ ମହାରାଷ୍ଟ୍ରର ନାସିକରୁ ପ୍ରାୟ ୧୮୦ କିଲୋମିଟର ଚାଲି ଚାଲି ଆସି ମୁମ୍ବାଇରେ ମେଳି ବାନ୍ଧିଛନ୍ତି ୩୫ ହଜାର ଚାଷୀ ।

ସାରା ଦେଶକୁ ଅନ୍ନ ଯୋଗାଉଥିବା ଚାଷୀକୂଳ ଏବେ ରାସ୍ତାକୁ ଓହ୍ଲାଇଛି । ଉଭୟ ମୁମ୍ବାଇ ଓ ଓଡ଼ିଶାରେ ଦେଖିବାକୁ ମିଳିଛି ସମାନ ଚିତ୍ର । କିନ୍ତୁ ଉଭୟ ଚାଷୀଙ୍କ କଥା ଏକ ବେଦନା ଏକ । ରାଜରାସ୍ତାରେ ଚିକ୍ରାର କରି ଏମାନେ ସରକାରଙ୍କ କାନରେ କଥା ପକାଇବାକୁ ଚାହିୁଁଛନ୍ତି ଯେ, ଭୋଟ ପାଇ ଶାସନ ଗାଦିରେ ବସିଥିବା ନେତା, ଚାଷୀଙ୍କ କଥା ଭୁଲି ଯାଉନାହିଁ । ଏଭଳି କହି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଚାଷୀ ।

ଓଡ଼ିଶା ସରକାରଙ୍କୁ ଚେତାବନୀ ଦେବାକୁ ସାରା ରାଜ୍ୟରୁ ଛୁଟି ଆସିଛନ୍ତି ହଜାର ହଜାର ଚାଷୀ । ଆଉ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆନ୍ଦୋଳନ । ଚାଷୀଙ୍କ ଏକା ଜିଦ୍ ଯେତେବେଳ ଯାଏଁ ତାଙ୍କ ଦାବି ସରକାର ଶୁଣି ନାହାନ୍ତି ସେତେବେଳେ ଯାଏଁ ଆନ୍ଦୋଳନ ଚାଲିବ । ଏହାଛଡା ଚାଷୀଙ୍କ ଦାବି ରହିଛି ମାସକୁ ୫ ହଜାର ଯାଏଁ ପେନସନ ଦିଆଯାଉ ଏବଂ ଏଥିପାଇଁ ବଜେଟରେ ୨୧ ହଜାର ୫୦୦ କୋଟି ଟଙ୍କାର ପ୍ରାବଧାନ ରଖାଯାଉ ।

ଅନ୍ୟପଟେ ମହାରାଷ୍ଟ୍ରରେ ଚାଷୀଙ୍କ ବିଶାଳ ଆନ୍ଦୋଳନ ରାଜ୍ୟ ସରକାରଙ୍କୁ ଦୋହଲାଇ ଦେଇଛି । ନାସିକରୁ ପ୍ରାୟ ୧୮୦ କିଲୋମିଟର ବାଟ ଚାଲି ଚାଲି ପହଞ୍ଚିଛନ୍ତି ମୁମ୍ବାଇରେ । ମହାରାଷ୍ଟ୍ର ବିଧାନସଭା ଘେରାଉ କରିବାକୁ ଯୋଜନା କରିଥିବା ପ୍ରାୟ ୩୫ ହଜାର ଚାଷୀ ଦାବି କରିଛନ୍ତି, ସେମାନଙ୍କ ଋଣ ଛାଡ କରାଯାଉ ।ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉ ଏବଂ ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରାଯାଉ । ଏସବୁ ଭିତରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ମହାରାଷ୍ଟ୍ର ସରକାର । ସରକାର ଓ ଚାଷୀ ମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସମାଧାନର ରାସ୍ତା ବାହାରିଛି । ସରକାରଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତି ନେଇଚନ୍ତି ଚାଷୀ । ଆଗାମୀ ୬ ମାସ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ କରିବାକୁ ଫଡନବୀସ ସରକାର ଚାଷୀଙ୍କୁ ଆଶ୍ୱସନା ଦେଇଛନ୍ତି ।

ତେବେ ଏସବୁ ଭିତରେ ନବୀନ ସରକାର କହୁଛନ୍ତି, ଚାଷୀଙ୍କ ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି । ମୋଦି କହୁଛନ୍ତି ଚାଷୀଙ୍କ ଆୟ ଦୁଇଗୁଣ କରିଦେବେ । କିନ୍ତୁ ଏହି ନିର୍ବାଚନୀ ନାରାବାଜି ଭିତରେ ଠକିଯାଉଛି ଚାଷୀ ଆଉ ଶେଷରେ ରାସ୍ତାକୁ ବାହାରି ଆସିଛନ୍ତି ଚାଷୀ ।