କନକ ବ୍ୟୁରୋ: ବ୍ୟାଙ୍କ ଚାକିରି ଛାଡିଲେ , ଚାଷ ଆରମ୍ଭ କଲେ । ଏବେ କୋଟି କୋଟି ଟଙ୍କାର ଟର୍ଣ୍ଣଓଭର୍। ଆମେ କହୁଛୁ ମାଓ ଅଧ୍ୟୁଷିତ ବସ୍ତର ଜିଲ୍ଲାର ଜଣାଶୁଣା ଚାଷୀ ରାଜାରାମ ତ୍ରିପାଠୀଙ୍କ କଥା । ଦିନ ଥିଲା ବ୍ୟାଙ୍କ ଚାକିରୀ କରିଥିଲେ । ହେଲେ ଏଥିରେ ତାଙ୍କ ମନ ମାନନିଥିଲା । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନକେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷରେ ବ୍ୟାଙ୍କ ଚାକିରୀ ଛାଡିଲେ ଏବଂ ଚାଷ ଆରମ୍ଭ କଲେ । କଠିନ ପରିଶ୍ରମ ତାଙ୍କ ଲକ୍ଷ୍ୟକୁ ପୂରଣ କରିପାରିଛି । ଏବେ ସେ ଜଣେ ଖ୍ୟାତନାମା ଚାଷୀ । ତାଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । କାରଣ ରାଜରାମ କିଣିବାକୁ ଯାଉଛନ୍ତି ହେଲିକପ୍ଟର । ଏହାର ଖାସ୍ କାରଣ ବି ରହିଛି । ହେଲିକପ୍ଟର ସାହାଯ୍ୟରେ ଏକର ଏକର ଜମିରେ ଔଷଧ ଓ ଖତ ସିଞ୍ଚ ନ କରିବା ଅତି ସହଜ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସେ ହଲାଣ୍ଡର ରବିନସନ୍ କମ୍ପାନୀଙ୍କ ସହ ଡିଲ୍ କରିସାରିଛନ୍ତି । ଖୁବ୍ ଶୀଘ୍ର ୪ ଟି ସିଟ୍ ବିଶିଷ୍ଟ ଆର-୪୪ ମଡେଲର ହେଲିକପ୍ଟର କିଣିବେ । ଏହାକୁ ଚଲାଇବାକୁ ସେ ପେସାଦାର ପାଇଲଟଙ୍କ ଠାରୁ ଟ୍ରେନିଙ୍ଗ ମଧ୍ୟ ନେବେ ରାଜାରାମ ।

Advertisment

ଛତିଶଗଡ ବସ୍ତର ଏକ ମାଓ ଅଧ୍ୟୁଷିତ ଇଲାକା ହୋଇଥିବାବେଳେ ଚାଷୀ ଡ. ରାଜରାମ ତ୍ରିପାଠୀ କିନ୍ତୁ ଏଠିକାର ଲୋକଙ୍କ ଉନ୍ନତିରେ ଲାଗିଛନ୍ତି । ସ୍ଥାନୀୟ ଆଦିବାସୀଙ୍କ ସହ ମିଶି ୧୦୦୦ ଏକର ଜମିରେ ଚାଷ କରୁଛନ୍ତି । ବିଶେଷ କରି ମୁସଲି, ଗୋଲମରିଚ, ଷ୍ଟିଭିଆ ଭଳି ଚାଷ କରି ବର୍ଷକୁ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା । ଚାଷରେ ନିୟୋଜିତ ୪୦୦ ଆଦିବାସୀ ପରିବାରଙ୍କୁ ସେମାନଙ୍କ ଉପଯୁକ୍ତ ପାଉଣା ଦେବା ପରେ ଏବେ ରାଜାରାମଙ୍କ ବାର୍ଷିକ ଟର୍ଣ୍ଣଓଭର ହେଉଛି ୨୫ କୋଟିରୁ ଅଧିକ ।

ରାଜାରାମଙ୍କ ପୁରା ପରିବାର ଏହି ଚାଷ କାମରେ ତାଙ୍କୁ ସହଯୋଗ କରିଥାନ୍ତି । କେବଳ ମୁସଲି କି ଗୋଲମରିଚ ନୁହେଁ ବିଭିନ୍ନ ପ୍ରକାର ଔଷଧୀୟ ବୃଷ ଚାଷ ସହ ପରିବା ଚାଷ କରୁଛନ୍ତି ଡ. ରାଜାରାମ । ଏହାକୁ ମା’ ଦନ୍ତେଶ୍ୱରୀ ହର୍ବାଲ ବ୍ରାଣ୍ଡ ନାଁରେ ବିଦେଶକୁ ରପ୍ତାନୀ କରୁଛନ୍ତି । ବିଶେଷ କରି ୟୁରୋପ ଓ ଆମେରିକାରେ ତାଙ୍କର ହର୍ବାଲ ପ୍ରଡକ୍ଟ ଗୁଡିକର ବେଶ୍ ଚାହିଦା ରହିଛି । ତେବେ ରାଜାରାମଙ୍କ ଚାଷ କରିବାର ପ୍ରଣାଳୀ ମଧ୍ୟ ସବୁଠୁ ନିଆରା । ସେ ଅଷ୍ଟ୍ରେଲିଆନ୍ ଟ୍ରିକରେ ଗୋଲମରିଚ ଚାଷ କରୁଛନ୍ତି । ଯେଉଁଥିରୁ ୪୦ ବର୍ଷ ଯାଏଁ ଏକର ପିଛା କୋଟି କୋଟି ଟଙ୍କା ଉପାର୍ଜନ କରିହେବ । ରାଜ୍ୟ ବାହାର ତଥା ବିଦେଶକୁ ଯାଇ ଚାଷ ପ୍ରଣାଳୀକୁ ଶିଖିଥାନ୍ତି ରାଜାରାମ ।

ଗୋଣ୍ଡାଗାଁଓ ବାସିନ୍ଦା ରାଜାରାମ ତ୍ରିପାଠୀଙ୍କ ଜେଜେବାପା ଜଣେ ଚାଷୀ ଥିବାବେଳେ ତାଙ୍କ ବାପା ଜଣେ ଶିକ୍ଷକ ଥିଲେ । ସେ ନିଜେ ଷ୍ଟେଟବ୍ୟାଙ୍କରେ ପିଓ ଥିଲେ । ହେଲେ ୧୯୯୬ରେ ପ୍ରଥମ ଥର ପାଇଁ ୫ ଏକର ଜମିରେ ପରିବା ଚାଷ ସହ ମୁସଲି ଓ ଅଶ୍ୱଗନ୍ଧା ଚାଷ ଆରମ୍ଭ କଲେ । ଏଥିରେ ଲାଭ ହେବାରୁ ଚାଷକୁ ବଢାଇବାକୁ ମନ ବଳାଇଲେ । ଏହାପରେ ଗୋଲମରିଚ, ଷ୍ଟିଭିଆ, ମୁସଲି ଓ ଅନ୍ୟ ହର୍ବାଲ ଚାଷ ଆରମ୍ଭ କଲେ ।

ରାଜାରାମଙ୍କ ଉନ୍ନତ ପ୍ରଣାଳୀ ଚାଷ କାମ ଯୋଗୁଁ ତାଙ୍କୁ ରାଜ୍ୟ କୃଷିମନ୍ତ୍ରଣାଳୟ ଓ ଭାରତୀୟ କୃଷି ଓ ଖାଦ୍ୟ ପରିଷଦ ପକ୍ଷରୁ ୪ ଥର ଶେଷ୍ଠ କୃଷକ ସମ୍ମାନ ମିଳିସାରିଛି । ତାଙ୍କୁ ବିଭିନ୍ନ ସ୍ଥାନକୁ ଚାଷୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିମନ୍ତ୍ରଣ କରାଯାଉଛି । ତେବେ କୃଷି ମାଧ୍ୟମରେ କୌଣସି ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ କରାଯାଇପାରିବ । ଏଥିପାଇଁ କୃଷିର ବିକାଶ ତଥା ବୈଷୟିକ ଆଧାରରେ ଚାଷ ପ୍ରଣାଳୀ ଉପରେ ସରକାର ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି ରାଜାରାମ ତ୍ରିପାଠୀ ।