ଟିକା କରଣ ବେଳେ ହରିଆଣାରୁ ଆସିଲା ଅଭାବନୀୟ ଚିତ୍ର । ଟିକାଦାନ କେନ୍ଦ୍ରରୁ ବିଧାୟକଙ୍କ ସମେତ ସ୍ୱାସ୍ଥ୍ୟକର୍ମୀଙ୍କୁ ଘଉଡାଇ ଦେଲେ କୃଷକ । ଭ୍ୟାକସିନ ସମେତ ଫେରାଇଦେଲେ ସମସ୍ତ ମେଡିକାଲ ଉପକରଣ

270

କନକ ବ୍ୟୁରୋ : ଆଜି ସାରାଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହୋଇଛି । ଏହି କ୍ରମରେ ହରିଆଣାର କୈଥଲ ଠାରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ । ଉତ୍ୟକ୍ତ କୃଷକ ମାନେ ଟିକାକେନ୍ଦ୍ରକୁ ଆସିଥିବା ସ୍ଥାନୀୟ ବିଜେପି ବିଧାୟକ ଲିଲାରାମଙ୍କୁ ବିରୋଧ କରି ସେଠାରୁ ଘଉଡାଇ ଦେଇଛନ୍ତି । ବିଧାୟକଙ୍କୁ ଘଉଡାଇଦେଇଥିବା କୃଷକ ମାନେ ଭାରତୀୟ କିଷାନ ୟୁନିୟନର ସଦସ୍ୟ ବୋଲି ଜଣାପଡିଛି । ସେମାନେ ବିଧାୟକଙ୍କୁ ସେଠାରୁ ତଡିଦେବା ପରେ ଦାବି କରିଥିଲେ କି ପ୍ରଥମେ ଟିକା ସରକାରରେ ଥିବା ମନ୍ତ୍ରୀ, ବିଧାୟକ ଓ ଅନ୍ୟ ରାଜନେତାଙ୍କୁ ଦିଆଯାଉ ଓ ତାହା ପରେ ଏହି ଟିକା ସାଧାରଣ ଲୋକଙ୍କୁ ଦିଆଯାଉ ।

କେବଳ ସେତିକି ନୁହେଁ ଟିକାକରଣ କେନ୍ଦ୍ରକୁ ଆସିଥିବା କୋଭିଡ ଟିକା ଓ ଅନ୍ୟ ମେଡିକାଲ ଉପକରଣକୁ ବି ଫେରାଇ ଦେଇଛନ୍ତି କୃଷକ ମାନେ । ଏହାସହ ଟିକା ଦେବାକୁ ଆସିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବି ଫେରାଇ ଦେଇଛନ୍ତି କୃଷକ ମାନେ । କହିରଖୁ କି ୫୨ ଦିନ ହେବ ଦିଲ୍ଲୀ ସୀମାରେ କୃଷକ ମାନେ ଅସହ୍ୟ ଥଣ୍ଡାରେ ପଡିରହି ଆନ୍ଦୋଳନ ଚଳାଇଥିବା ବେଳେ ସରକାର ଏନେଇ କୌଣସି ନିଷ୍ପତ୍ତି ନେଉ ନାହାନ୍ତି । ଯାହା ଫଳରେ ସାରା ଦେଶରେ କୃଷକ ମାନେ ଏବେ ସରକାରଙ୍କ ଉପରେ ଖପ୍ପା । ଯାହାକୁ ନେଇ ଟିକା କରଣ ବେଳେ ବି ତା’ର ପ୍ରତିଫଳନ ଦେଖିବାକୁ ମିଳିଛି ।

ସୂଚନା ଥାଉକି ଆଜି ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଆରମ୍ଭ ହୋଇଛି । ସର୍ବପ୍ରଥମେ ଜରୁରୀ ସେବାରେ ନିୟୋଜିତ ୧ କୋଟି ୬୦ ଲକ୍ଷ କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯିବ । ହେଲେ ଟିକାକରଣ ବେଳେ ଏଭଳି କାର୍ଯ୍ୟକୁ ନାପସନ୍ଦ କରାଯାଇଛି ।