୩୫ ମାସ ଚାଲିବ କୃଷକ ଆନ୍ଦୋଳନ, ସରକାର ଚାହିଁଲେ ଦିଲ୍ଲୀରେ ୫ ଲକ୍ଷ ଟ୍ରାକ୍ଟର ସହ ରାଲି କରିବେ କୃଷକ : ରାକେଶ ଟିକାୟତ

217

କନକ ବ୍ୟୁରୋ :ଦିଲ୍ଲୀ ଜୟପୁର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ସ୍ଥଳରେ ଶନିବାର ପହଂଚିଥିଲେ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ । ସେ କହିଛନ୍ତି କି, ସରକାର ତାଙ୍କ ଜିଦରେ ଅଟଳ ଥିବାରୁ କୃଷକ ଆନ୍ଦୋଳନ ଆହୁରି ୩୫ ମାସ ପର୍ଯ୍ୟନ୍ତ ଚାଲିବ । ସରକାର ସର୍ତ୍ତ ସହିତ ଆଲୋଚନା କରିବାକୁ ଚାହୁଁଥିବା ବେଳେ କୃଷକ ମାନେ କେବଳ ଆଇନ ରଦ୍ଦ କରିବା ସର୍ତ୍ତରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଟିକାୟତ ଗଣମାଧ୍ୟମକୁ କହିଛନ୍ତି ।

କୃଷକ ଆନ୍ଦୋଳନକୁ ନେଇ ହରିଆଣା ସରକାରଙ୍କ କଠୋରତା ଉପରେ ଟିକାୟତ କହିଛନ୍ତି କି, କୃଷକମାନେ ହରିଆଣା ସରକାରଙ୍କ ଶେଷ କଠୋରତା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । କୃଷକମାନେ କୌଣସି ପରିସ୍ଥିତିରେ ଡରିବେ ନାହିଁ । ଆନ୍ଦୋଳନ ସ୍ଥଳରେ କୃଷକମାନଙ୍କ ସଂଖ୍ୟା କମୁଥିବା ନେଇ ପ୍ରଶ୍ନ ଉପରେ ଟିକାୟତ କହିଛନ୍ତି କି, ସରକାର ଯଦି କୃଷକମାନଙ୍କର ଶକ୍ତି ଦେଖିବାକୁ ଚାହୁଁଛନ୍ତି ତେବେ କହିଲେ ଦିଲ୍ଲୀରେ ୫ ଲକ୍ଷ ଟ୍ରାକ୍ଟର ସହ ପୁଣିଥରେ ରାଲି କରିବାକୁ ସେମାନେ ପ୍ରସ୍ତୁତ ।

ଅନ୍ୟପଟେ କୃଷକ ଆନ୍ଦୋଳନର ଅନ୍ୟ ପ୍ରମୁଖ ଗୁରୁନାମ ଚଢୁନି ଅଲଗା ହେବା ପ୍ରସଙ୍ଗରେ ଟିକାୟତ କହିଛନ୍ତି କି, ବିଚାର ଅଲଗା ହେବା କାରଣରୁ ଏଭଳି ହୋଇଛି । କିଷାନ ମୋର୍ଚ୍ଚା ନିର୍ବାଚନ ଲଢିବା ସପକ୍ଷରେ ନଥିବା ବେଳେ ଚଢୁନି ନିର୍ବାଚନ ଲଢିବାକୁ ଚାହୁଁଥିଲେ । ସେ ପୁଣି ତାଙ୍କ ବିଚାର ବଦଳାଇ ଖୁବଶୀଘ୍ର ଆମ ସହ ଯୋଡି ହେବେ ବୋଲି ଆଶା କରିଛନ୍ତି ଟିକାୟତ । ଏହାସହ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ବୟାନ ଉପରେ ବି ଟିକାୟତ ଜବାବ ରଖିଛନ୍ତି । ସେ କହିଛନ୍ତି କି, କୃଷକମାନେ ମହିଳା ମାନଙ୍କୁ ସମ୍ମାନ କରନ୍ତି, ମାତ୍ର କିଛି ଲୋକଙ୍କ ଦ୍ୱାରା ଏଭଳି କରାଯାଉଛି, ହେଲେ ହକ୍ ପାଇଁ କୃଷକମାନେ ତାଙ୍କ ଲଢେଇ ଜାରି ରଖିବେ ।

ଅନ୍ୟପଟେ ସରକାରଙ୍କୁ ଘେରିବାକୁ କୃଷକମାନେ ଜନ୍ତର-ମନ୍ତ୍ରର ଠାରେ କିଷାନ ସଂସଦ ଆରମ୍ଭ କରିଛନ୍ତି । ଦୈନିକ ୨୦୦ କୃଷକ ପ୍ରତିନିଧୀଙ୍କ ଦ୍ୱାରା ସଂସଦ ପରିଚାଳନା କରାଯାଉଛି । ସାଧାରଣ ସଂସଦ ଭଳି କିଷାନ ସଂସଦରେ ବି ବାଚଷ୍ପତ୍ତି, ଉପବାଚଷ୍ପତ୍ତି ନିର୍ବାଚିତ କରାଯାଇ ଦୈନିକ କୃଷି ଆଇନ ଉପରେ ଆଲୋଚନା ହେଉଛି ।