ମଣ୍ଡି ସମସ୍ୟାକୁ ନେଇ ଜୋର ଧରିଲାଣି ଅସନ୍ତୋଷ । ଧାନ ବିକ୍ରି ଦାବିରେ ଗଞ୍ଜାମ, କେନ୍ଦୁଝରରେ ରାସ୍ତାକୁ ଓହ୍ଲାଇଲେ ଚାଷୀ ।

62

କନକ ବ୍ୟୁରୋ: ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ଏବେ ଉଠୁଛି ପଡୁଛି ବିଧାନସଭା । ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରୁଥିବାବେଳେ, ଶାସକ ଦଳର ସାଂସଦମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ତେବେ ଏସବୁ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀ ଦୁର୍ଦ୍ଦଶାର ବାସ୍ତବ ଚିତ୍ର ସାମନାକୁ ଆସିଛି ।

ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ମଣ୍ଡିରେ ଧାନ ବିକ୍ରି କରିପାରିନଥିବା ଚାଷୀମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି ଦାବି ପତ୍ର । ଚାଷୀମାନେ ସେବା ସମବାୟ ସମିତିରେ ନାମ ପଞ୍ଜିକରଣ କରିଛନ୍ତି, ଧାନ ବିିକିବା ପାଇଁ ଟୋକନ ବି ପାଇଛନ୍ତି କିନ୍ତୁ ଧାନ ବିକ୍ରି କରିପାରୁନାହାନ୍ତି । ଗାଁର ପ୍ରାୟ ୧୫୦ରୁ ଅଧିକ ଚାଷୀଙ୍କ ଧାନ ବିକ୍ରି ହୋଇପାରି ନାହିଁ । ଏହି ସମସ୍ୟାକୁ ନେଇ ଆଜି ଚାଷୀମାନେ ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ଅନ୍ୟପଟେ ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ସେହିପରି ଧାନ କିଣାକୁ ନେଇ ଗଂଜାମ ଜିଲ୍ଲାର ଚାଷୀ ରାସ୍ତାରୋକ କରିଛନ୍ତି । ହୁମା ପଂଚାୟତର ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନପାରି ରାସ୍ତାରୋକ କରିଛନ୍ତି । ସେପଟେ କେନ୍ଦୁଝର ଜିଲ୍ଲା ତେଲକୋଇରେ ମଧ୍ୟ ଧାନ ବିକ୍ରି ହୋଇନଥିବାରୁ ଧାରଣାକୁ ଓହ୍ଲାଇଛନ୍ତି ଚାଷୀ । ଜଗମୋହନ ଛକରେ ଧାନବସ୍ତା ରଖି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଯାହାଫଳରେ ଯାତାୟତ ଠପ ହୋଇପଡ଼ିଛି । ଏହାସହ କଲିକତା- ମୁମ୍ବାଇ ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ଚାଷୀଙ୍କୁ ବୁଝାସୁଝା କରିଛି ।