ସିଂଘୁ ବର୍ଡରରେ ଆଉ ଜଣେ ଚାଷୀଙ୍କ ମୃତ୍ୟୁ । ଫାଶୀରେ ଝୁଲୁଥିଲା ମୃତଦେହ ।

75

କନକ ବ୍ୟୁରୋ  : କୃଷି ଆଇନକୁ ବିରୋଧ କରି ଗତ ବର୍ଷେ ହେବ ଆନ୍ଦୋଳନ କରୁଛନ୍ତି ଚାଷୀ । ଦିଲ୍ଲୀ ବର୍ଡରରେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଆଉ ଏକ ଅଘଟଣ ଦେଖିବାକୁ ମିଳିଛି । ଆନ୍ଦୋଳନରେ ସାମିଲ ଥିବା ଜଣେ ଚାଷୀଙ୍କ ମୃତଦେହ ମିଳିଛି । ଚାଷୀଙ୍କ ମୃତଦେହ  ଫାଶୀରେ ଝୁଲୁଥିବାର ଦେଖିବାକୁ ମିଳିଛି । ମୃତ ଚାଷୀଙ୍କ ନାଁ ଗୁରପ୍ରୀତ ସିଂ ବୋଲି କୁହାଯାଉଛି । ପଞ୍ଜାବର ଫତେହଗଡ ସାହିବ ଅଞ୍ଚଳରେ ମୃତ ଚାଷୀଙ୍କ ଘର ବୋଲି ଜାଣିବାକୁ ମିଳିଛି ।

ଚାଷୀ ଆନ୍ଦୋଳନ ଆରମ୍ଭରୁ ହିଁ ଗୁରପ୍ରୀତ ଏଥିରେ ସାମିଲ ହୋଇଥିଲେ । ତେବେ ମୃତ ଚାଷୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ମୃତ ଚାଷୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଯାଞ୍ଚ ଆରମ୍ଭ କରିଛି ପୋଲିସ । ଯାଞ୍ଚ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛି ପୋଲିସ । ଗତ ମାସେ ପୂର୍ବରୁ ମଧ୍ୟ ଆନ୍ଦୋଳନସ୍ଥଳରୁ ଜଣେ ଚାଷୀଙ୍କୁ ହତ୍ୟା କରାଯାଇଥିଲା । ସେତେବେଳେ ଏହି ଘଟଣାକୁ ନେଇ ଆନ୍ଦୋଳନ ଉପରେ ପ୍ରଶ୍ନ ଉଠାଇଥିଲେ ବିଜେପି ନେତା ।

ଚାଷୀ ଆନ୍ଦୋଳନକୁ ଏବେ ବର୍ଷେ ପୁରିବାକୁ ଯାଉଛି । ଏଭଳି ସ୍ଥଳେ ସଂସଦର ଶୀତକାଳୀନ ଅଧିବେଶନ ସମୟରେ ଟ୍ରାକ୍ଟର ମାର୍ଚ୍ଚ କରିବାକୁ ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏନେଇ ଚାଷୀଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି । ଯେଉଁ ବୈଠକରେ ଆଗାମୀ ରଣନୀତି ବାବଦରେ ଚର୍ଚ୍ଚା ହେବ । ତେବେ ଦିଲ୍ଲୀ ପୋଲିସ ପକ୍ଷରୁ ଚାଷୀଙ୍କୁ ଟ୍ରାକ୍ଟର ମାର୍ଚ୍ଚ ପାଇଁ ଅନୁମତି ମିଳୁଛି କି ନାହିଁ ତାହା ଦେଖିବା ବାକି ରହିଲା ।