ଲଗାଣ ବର୍ଷା ପରେ ବଢିଲା ଚାଷୀର ଦୁର୍ଦ୍ଦଶା: ଆଖି ଆଗରେ ନଷ୍ଟ ହୋଇଗଲା ବର୍ଷକର ସୁନାର ଫସଲ

127

କନକ ବ୍ୟୁରୋ: ଟଳିଗଲା ବାତ୍ୟା, ବଢ଼ିଗଲା ଚାଷୀର ଦୁର୍ଦ୍ଦଶା । ଆଖି ଆଗରେ ନଷ୍ଟ ହୋଇଗଲା ବର୍ଷକର ସୁନାର ଫସଲ । ୩ ଦିନିଆ ବର୍ଷାରେ ଗଜା ହୋଇ ଯାଇଛି ବର୍ଷକର ଆହାର । ଜୱାଦ ବାତ୍ୟା ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ କଟକ ଜିଲ୍ଲା ନିଆଳି ବ୍ଲକରେ ଖରିଫ ଧାନ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ଧାନ ସବୁ ପାଣିରେ ଗଜା ହୋଇଯାଇଛି । ନିଆଳି ବ୍ଲକର ୪ ହଜାର ଚାଷୀଙ୍କ ଧାନ ବିଲର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଢ଼ି ଯାଇଛି ଚାଷୀ ।

ସେପଟେ ଜୱାଦ ପ୍ରଭାବରେ ଉଜୁଡ଼ିଗଲା ଚାଷୀର ସୁନାର ଫସଲ । ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଲଗାଣ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ପାଚିଲା ଧାନ କ୍ଷେତରେ ପାଣି ଜମି ରହିବାରୁ ଧାନ ଗଜା ହେବାକୁ ବସିଲାଣି । ବର୍ଷଯାକ ପରିଶ୍ରମ କରି ଭଲ ଅମଳ ଆଶା କରିଥିଲା ଚାଷୀ । କିନ୍ତୁ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କୁ ଦୁଃଖ ଦେଇଛି ।