ଝିଅ ବିବାହ ପାଇଁ ବହୁ କଷ୍ଟରେ ଚାଷୀ ବାପା ସଞ୍ଚିଥିଲେ ୨ ଲକ୍ଷ ଟଙ୍କା । କିନ୍ତୁ କରୋନାର କରାଳ ରୂପ ଦେଖି ଅକ୍ସିଜେନ କିଣିବା ପାଇଁ ଦାନ କରିଦେଲେ ସବୁ ଟଙ୍କା । 

238

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଭାରତ ଅତି ସାଂଘାତିକ ସ୍ଥିତି ଦେଇ ଗତି କରୁଛି  । ପ୍ରତିଦିନ ସଂକ୍ରମଣ ବଢୁଥିବା ବେଳେ  ହସ୍ପିଟାଲରେ ଅକ୍ସିଜେନ, ଆଇସିୟୁ ବେଡ, ଭେଣ୍ଟିଲେଟର ଓ ଔଷଧର ଅଭାବ ଦେଖା ଦେଇଛି। ଯେଉଁଥିପାଇଁ ଅନେକ ରୋଗୀ ଉପଯୁକ୍ତ ଚିକିତ୍ସା ବିନା ଆଖି ବୁଜି ଦେଉଛନ୍ତି । ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନି । ଅକ୍ସିଜେନ ବିନା ଛଟପଟ ହେଉଛନ୍ତି ରୋଗୀ । ଆଖି ଆଗରେ ଚାଲି ଯାଉଛି ପ୍ରିୟଜନଙ୍କ ଜୀବନ ।

ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳିଥିବା ବେଳେ ହସ୍ପିଟାଲ ଗୁଡିକ ଅକ୍ସିଜେନ ସିଲିଣ୍ଡର ବିନା ରୋଗୀଙ୍କୁ ଆଡମିଟ କରୁନାହାନ୍ତି । ଏଭଳି ସ୍ଥଳେ ଗତ କିଛି ଦିନ ପୂର୍ବେ ନିଜର ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ୨୪ ଘଣ୍ଟାରେ ୧୪୦୦ କିଲୋମିଟର ଯାତ୍ରା କରି ଅକ୍ସିଜେନ ସିଲିଣ୍ଡର ଧରି ବୋକାରୋରୁ ନୋଏଡାରେ ପହଞ୍ଚିଥିଲେ ଜଣେ ବ୍ୟକ୍ତି । ସେହିଭଳି ଦେଶ ଓ ବିଦେଶରୁ ଅକ୍ସିଜେନ ସିଲିଣ୍ଡର କିଣିବା ପାଇଁ ଅନେକ ଲୋକ ସହାୟତାର ହାତ ମଧ୍ୟ ବଢାଉଛନ୍ତି । ଅଷ୍ଟ୍ରେଲୀୟ କ୍ରିକେଟର ପାଟ କମିନ୍ସ, ବ୍ରେଟ ଲି ଓ ବିଭିନ୍ନ ଦେଶର ସରକାର ଏବେ ଭାରତ ସରକାରଙ୍କୁ ମହାମାରୀ ମୁକାବିଲାରେ ସାଥ୍ ଦେଉଛନ୍ତି । ଅନେକ ଲୋକ ସ୍ୱଇଚ୍ଛାରେ ନିଜସ୍ୱ ଉଦ୍ୟମରେ କରୋନା ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଛନ୍ତି ।

ଆଉ ଏହି ତାଲିକାରେ ମଧ୍ୟପ୍ରଦେଶର ଚମ୍ପାଲାଲ ଗର୍ଜର ଯୋଡି ହୋଇଛନ୍ତି । ସେ ନିଜର ଝିଅର ବିବାହ ପାଇଁ ବହୁ କଷ୍ଟରେ ଦୁଇଲକ୍ଷ ଟଙ୍କା ଏକାଠି କରିଥିଲେ। ଏବେ କରୋନା ସଂକ୍ରମିତ ଲୋକେ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଥିବା ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି।  ପରିସ୍ଥିତିକୁ ଦୃଷ୍ଟି ରଖି ଚମ୍ପାଲାଲ ଗର୍ଜର ଜିଲ୍ଲା ପ୍ରଶାସନଙ୍କୁ ୨ଲକ୍ଷ ଟଙ୍କା ଅକ୍ସିଜେନ କିଣିବାକୁ ଦାନ କରିଛନ୍ତି।  ଏହାପରେ ଲୋକେ ଚମ୍ପାଲାଲ ଗର୍ଜରଙ୍କ ଏହି କାମକୁ ଭୁରଭୁରି ପ୍ରଶଂସା କରୁଛନ୍ତି।

ଚମ୍ପାଲାଲ ଗର୍ଜର କହନ୍ତି, ସବୁ ବାପାଙ୍କ ଭଳି ମୋର ବି ଇଚ୍ଛା ଥିଲା କି ଝିଅର ବିବାହକୁ ଧୂମଧାମ‌ରେ କରିବି। କିନ୍ତୁ କରୋନା ମହାମାରୀ ପାଇଁ ତାହା ସମ୍ଭବ ହୋଇ ପାରିଲା ନାହିଁ। ତେଣୁ ଝିଅ ବିବାହକୁ ମନେ ରଖିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଥିଲି। ଚମ୍ପାଲାଲ ଗର୍ଜରଙ୍କ ଝିଅ ଅନୀତା କହନ୍ତି, ବାପା ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ମୁଁ ଖୁସି ଅଛି। ମୋର ବିବାହ ପାଇଁ ଯେଉଁ ଖର୍ଚ୍ଚ ହୋଇଥାଆନ୍ତା, ସେହି ଟଙ୍କା ଦ୍ବାରା ରୋଗୀଙ୍କ ଜୀବନ ବଞ୍ଚି ପାରିବ।