ଆଜି ବ୍ୟବସାୟୀ ସଂଘର ଭାରତ ବନ୍ଦ : ଓଡ଼ିଶାରେ ବି ବନ୍ଦ ରହିବ ଦୋକାନ ବଜାର

ସାମିଲ ହେବେ ଦେଶର ୮ କୋଟି ଓ ଓଡ଼ିଶାର ୨୦ ଲକ୍ଷ ବ୍ୟବସାୟୀ; ପ୍ରଭାବିତ ହେବନି ଯାତାୟତ 

367

କନକ ବ୍ୟୁରୋ : ଆଜି ସର୍ବଭାରତୀୟ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଫୁଟପାଥଠୁ ଆରମ୍ଭ କରି ଇଣ୍ଡଷ୍ଟ୍ରିଜ ଯାଏଁ ସବୁ ବନ୍ଦ ରହିବ । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହେବେ । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରପତା ମାନ ଆଇନକୁ ପରିବର୍ତନ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ତେବେ ଆଜିର ବନ୍ଦ ପାଳନ ସମୟରେ ଗାଡି ଚଳାଚଳ ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛି ଓଡିଶା ବ୍ୟବସାୟୀ ମହାସଂଘ । ସେପଟେ ବନ୍ଦ ଡାକରାକୁ ଆଖିରେ ରଖି ଭୁବନେଶ୍ୱରର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛି କମିସନରେଟ ପୁଲି୍ସ । ବଡ ବଡ ମାର୍କେଟରେ ପୁଲିସ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ଡିସିପି ।

ଏହି ବନ୍ଦ ବେଳେ ଆପଣ ହୁଏତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପ୍ରଥମେ ଜାଣନ୍ତୁ କେଉଁ କାରଣ ପାଇଁ ଭାରତ ବନ୍ଦ ହେଉଛି । ଏହା ପଛରେ ବଳିଷ୍ଠ ଯୁକ୍ତି ରହିଛି କି ? ବ୍ୟବସାୟୀମାନେ ୨, ୩ଟି କାରଣ ଦର୍ଶାଇଛନ୍ତି । ପ୍ରଥମ କଥା ହେଉଛି ଜିଏସଟିର ସରଳୀକରଣ । ବ୍ୟବସାୟୀ ସଂଘର ଯୁକ୍ତି ହେଲା ଜିଏସଟିର ରୁପରେଖରେ ପରିବର୍ତନ ହୋଇଯାଇଛି । ୨୦୧୭ ଜୁଲାଇରେ ସରକାର ଜିଏସଟି ଆଣିଥିଲେ । କିନ୍ତୁ ମୂଳ ଜିଏସଟିରେ ଯାହା ଥିଲା ଏବେ ସେଥିରେ ପରିବର୍ତନ ହୋଇଥିବା କହୁଛି ବ୍ୟବସାୟୀ ସଂଘ ।

୨୦୧୭ ମସିହାରୁ ଏଯାଏଁ ମୂଳ ଜିଏସଟିରେ ୯୫୦ଥର ସଂଶୋଧନ କରାଗଲାଣି । ତେଣୁ ମୂଳ ଜିଏସଟିର ରୁପରେଖ ଯାହା ଥିଲା ଏବେ ସେୟା ନାହିଁ । ଦ୍ୱିତୀୟରେ ଜିଏସଟି ବ୍ୟତୀତ ଅନଲାଇନ ବିକ୍ରିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବ୍ୟବସାୟୀ ସଂଘ । ଏଥିରେ କୌଣସି ନିତିନିୟମ ନାହିଁ । ତେଣୁ ତୁରନ୍ତ ଏହାକୁ ନିୟମ ପରିସରକୁ ଆଣିବା ପାଇଁ ଦାବି କରୁଛି ବ୍ୟବସାୟୀ ସଂଘ ।