କୃଷକ ଆନ୍ଦୋଳନକୁ ପୂରିଲା ବର୍ଷେ : ଦିଲ୍ଲୀ ସୀମାରେ ଏକାଠି ହେବେ ହଜାର ହଜାର ଚାଷୀ

 ୩ କୃଷି ଆଇନ ପ୍ରତ୍ୟାହାର ପରେ ବି ଦେଶବ୍ୟାପୀ ପ୍ରତିବାଦ କରିବାକୁ ପ୍ରସ୍ତୁତି 

114

କନକ ବ୍ୟୁରୋ : ଆଜି କୃଷକ ଆନ୍ଦୋଳନକୁ ପୂରିଛି ୧ ବର୍ଷ । ଏଥିପାଇଁ ଆଜି ଦିଲ୍ଲୀ ସୀମାରେ ଏକାଠି ହେବେ ହଜାର ହଜାର ଚାଷୀ । କୃଷକମାନେ ଆଜି ମହାପଂଚାୟତ କରିବେ । କୃଷି ଆଇନ ଉଚ୍ଛେଦ ବିଲକୁ  କ୍ୟାବିନେଟ ମଂଜୁରୀ ପରେ ବି ଶକ୍ତି ପ୍ରଦର୍ଶନ କରୁଛନ୍ତି କୃଷକ । ଏମ୍ଏସ୍ପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରୁଛନ୍ତି କୃଷକ ସଂଗଠନ । ପରବର୍ତ୍ତୀ ରଣନୀତି ନେଇ ଆସନ୍ତାକାଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବୈଠକ କରାଯିବ ।

ଆସନ୍ତା ୨୯ରେ ଆରମ୍ଭ ହେବାକୁ ଯାଉଥିବା ଶୀତକାଳିନ ଅଧିବେଶନ ଦିନ ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଶୋଭାଯାତ୍ରାରେ ୬୦ ଟ୍ରାକ୍ଟର ଓ ହଜାରେ ଚାଷୀ ସାମିଲ ହେବେ । ଏମଏସପି ଗ୍ୟାରେଣ୍ଟି ପାଇଁ ଆଇନ ଆଣିବା ଓ ଆନ୍ଦୋଳନରତ ୭୫୦ କୃଷକଙ୍କ ପରିବାରକୁ କ୍ଷତିପୂରଣ ଭଳି ୬ଟି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଚାଷୀ ସଂଗଠନ । ଅନ୍ୟପଟେ ତିନି କୃଷି ଆଇନକୁ ରଦ୍ଦ ବିଲରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । ଆଗାମୀ ଶୀତ ଅଧିବେଶନରେ ଏହାକୁ ଆଗତ କରାଯିବ ଓ ପାରିତ ହେଲେ ବିଧିବଦ୍ଧ ଭାବେ ରଦ୍ଦ ହୋଇଯିବ ତିନି ଆଇନ ।

ତିନି କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୯ ତାରିଖରେ ଘୋଷଣା କରିବା ଏବଂ ଗତକାଲି କେନ୍ଦ୍ର କ୍ୟାବିନେଟ୍‌ରେ ଏହି ଆଇନ ଉଚ୍ଛେଦ ପାଇଁ ବିଲ୍‌କୁ ମଂଜୁରି ମିଳିବା ପରେ ମଧ୍ୟ ଚାଷୀ ନେତାମାନେ ସରକାରଙ୍କୁ ବିଶ୍ବାସକୁ ନେଇନାହାନ୍ତି । ସଂସଦରେ ଆଇନ ପ୍ରତ୍ୟାହାର ନେଇ ବିଲ୍‌ ଆସିବା ପୂର୍ବରୁ ସରକାର ଏ ବାବଦ ସମସ୍ତ ରଣନୀତି ଚୂଡ଼ାନ୍ତ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଅନ୍ୟପକ୍ଷରେ ସିଂଘୁସୀମାରେ ଆନ୍ଦୋଳନରତ କୃଷକମାନେ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ କମିଟି ଗଠନ, ଚାଷୀଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ଏବଂ ବାକି ରହିଥିବା ବିଦ୍ୟୁତ୍ ବିଲ୍ ଛାଡ଼ ନେଇ ସେମାନଙ୍କର ଦାବି ଅବ୍ୟାହତ ରହିବ । ଏହା ସହିତ ଲଖିମପୁର ଖେରି ହିଂସା ମାମଲାରେ ସଂପୃକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗିରଫଦାରି ପାଇଁ ମଧ୍ୟ ଚାଷୀମାନେ ଜିଦ୍‌ ଧରିଛନ୍ତି ।