କୃଷି ଆଇନ ପ୍ରତ୍ୟାହାର ପରେ ସରଗରମ ହେଉଛି ପଞ୍ଜାବ ରାଜନୀତି, ବିଜେପି ସହ ମେଣ୍ଟ ନେଇ କ୍ୟାପଟେନ କହିଲେ ଏଭଳି କଥା

216

କନକ ବ୍ୟୁରୋ : ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଧାରଣାରେ ବସିଥିଲେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପାରିତ ହୋଇଥିବା ୩ ଟି କଅଷି ଆଇନକୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିବା ବେଳେ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିରୋଧୀ ଏହାକୁ ନିର୍ବାଚନୀ ଚାଲ ବୋଲି କହୁଥିବା ବେଳେ ଏହାକୁ ବି ସମର୍ଥନ କରିଛନ୍ତି ସୁପ୍ରିମ କୋର୍ଟ ପ୍ୟାନେଲର ଜଣେ ସଦସ୍ୟ । ଏସବୁ ଭିତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ଦଳ ଗଠନ କରିବା ଓ ବିଜେପି ସହିତ ମେଣ୍ଟ କରିବାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମନ୍ତବ୍ୟ ରଖିଛନ୍ତି । କ୍ୟାପଟେନ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ପାଖରେ ତାଙ୍କର ଗୋଟିଏ ସର୍ତ୍ତ ଥିଲା କି କୃଷି ଆଇନ ପ୍ରତ୍ୟାହାର । ଏବେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିସାରିଥିବାରୁ ବିଜେପି ସହ ମେଣ୍ଟ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ କ୍ୟାପଟେନ କହିଛନ୍ତି କି ଆଜି ପବିତ୍ର ଗୁରୁ ପୂର୍ଣ୍ଣମୀ ଅବସରରେ ପ୍ରଧାନମନ୍ତ୍ରୀ ପଞ୍ଜାବବାସୀଙ୍କୁ ଏକ ପୁରସ୍କାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ କ୍ଷମା ମାଗିଥିବାରୁ ଆନ୍ଦୋଳନରେ ସାମିଲ ଥିବା ପଞ୍ଜାବର ଚାଷୀମାନେ ଏବେ ଘରକୁ ଫେରିଆସିବାକୁ କ୍ୟାପଟେନ ଆହ୍ୱାନ ଦେଇଛନ୍ତି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବି ଭେଟ କରିଥିଲେ । ଏହି କ୍ରମରେ କୃଷି ଆଇନକୁ ନେଇ ବି ଚର୍ଚ୍ଚା ହୋଇଥିଲା । ସେପଟେ ପଞ୍ଜାବର ଅକାଳୀ ଦଳ ଏହି କୃଷି ଆଇନକୁ ବିରୋଧ କରି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିଥିବା ବେଳେ ଏବେ ପୁଣିଥରେ ବିଜେପି ସହିତ ମେଣ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏଭଳି ହେଲେ ପଞ୍ଜାବ ରାଜନୀତିରେ ପୁଣି ନୂଆ ସମିକରଣ ଦେଖିବାକୁ ମିଳିବ ।