କନକ ବ୍ୟୁରୋ : ସୋସିଆଲ ମିଡିଆରେ ଯୁକ୍ତ ଦୁଇ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ଥାନାରେ ଏତଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ନେଇ ସାଇବର ଥାନାରେ ଏତଲା ଦିଆଯାଇଛି । କିଛି ଲୋକ ଦଲାଲି କରିବା ପାଇଁ ପ୍ରଶ୍ନପତ୍ର ଭାଇରାଲ କରୁଛନ୍ତି । ଛାତ୍ରଛାତ୍ରୀମାନେ ଏଥିରୁ ପ୍ରଭାବିତ ନହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।

Advertisment

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା । ଖବରକାଗଜରେ ବିଜ୍ଞାପନ ଦେଇ ଠକଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସଚେତନ କରାଇ ଠକକୁ ଠାରୁ ଦୂରେଇ ରହିବାକୁ ଖବର କାଗଜରେ ବିଜ୍ଞାପନ ଦେଇଛି ସିଏଚଏସଇ । ଏହି ବିଜ୍ଞାପନରେ ଲେଖା ଅଛି ଯେ, କିଛି ଅସାଧୁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଭ୍ରାନ୍ତିକର, ଅସତ୍ୟ, ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଥିବା ପରିଷଦର ଦୃଷ୍ଟିକୁ ଆସିଛି ।

ଏହି ଗୁଜବ ମଧ୍ୟରେ ପରିଷଦର ପ୍ରଶ୍ନ ପତ୍ର ପ୍ରଘଟ ହେବା, ନିଜକୁ ପରିଷଦ କର୍ମଚାରୀ ବୋଲି ମିଥ୍ୟା ପରିିଚୟ ଦେଇ ଟେଲିଫୋନ କରି ଟଙ୍କା ବଦଳରେ ନମ୍ବର ବଢାଇ ଦେବା ଭଳି ସାଂଘାତିକ ଗୁଜବ ହେଉଛି । ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଏପରି ଗୁଜବରୁ ଦୂରେଇ ରୁହନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଏହାସହ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ସତର୍କ କରାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।