ହୁସିଆର୍ ! ହାଟରେ ବୁଲୁଛି ନକଲି ନୋଟ୍ । ଭଦ୍ରକରୁ ଆସି କେନ୍ଦ୍ରାପଡାରେ ଚାଲିଛି ନକଲି ନୋଟ୍ କାରବାର । ଅଭିଯୁକ୍ତ ଧରା ପଡିବା ପରେ ସାମ୍ନାକୁ ଆସିଲା ସତ

80

କନକ ବ୍ୟୁରୋ: ରାଜନଗରରେ ନକଲି ଟଙ୍କାର କାରବାର । ହାଟରେ ବୁଲୁଛି ନକଲି ନୋଟ୍ । ଏଭଳି କାରବାରର ପର୍ଦ୍ଦାଫାସ ହୋଇଛି । ୨ଶହ ଓ ୫ଶହ ଟଙ୍କିଆ ନୋଟ କାରବାର କରୁଥିବା ସମୟରେ ଧରା ପଡିଛି ଡାଙ୍ଗମାଳ ପଂଚାୟତ ଶାରଦାପ୍ରସାଦ ଗାଁର ସେକ୍ ରବିଭଲ ହୁସେନ । ସବୁଠାରୁ ବଡ କଥା ହେଲା ଏହି ନକଲି ଟଙ୍କା ଆସିଛି ଭଦ୍ରକରୁ । ସେକ୍ ହୁସେନ ୨୦ ପ୍ରତିଶତ ଲାଭରେ ଏହି ନକଲି ଟଙ୍କା କାରବାର କରୁଥିଲା ଏବଂ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ମାର୍କେଟରେ ସେ ଏହି ଟଙ୍କା ସେଲ କରାଇଥିବା ପୁଲିସ ଆଗରେ କହିଥିବା ଜଣାପଡିଛି ।

ସୋମବାର ଦିନ ରାଜନଗର ବଜାରରେ ପରିବା କିଣିବା ବେଳେ ସେକ ରବିଭଲ ହୁସେନ ୨ଶହ ଟଙ୍କିଆ ନକଲି ନୋଟ ଦୁଇଜଣ ବ୍ୟବସାୟୀଙ୍କୁ ଦେଇଥିଲେ । ବ୍ୟବସାୟୀଙ୍କ ସନ୍ଦେହ ହେବାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ବ୍ଲକ କ୍ୟାମ୍ପସରୁ ଧରିଥିଲେ । ନକଲି ଟଙ୍କା କାରବାର କରୁଥିବା ଯୁବକଙ୍କ ନିକଟରୁ ଆଉ ଏକ ନକଲି ୫ଶହ ଟଙ୍କିଆ ନୋଟ ମିଳିଥିଲା । ଲୋକେ ସଂପୃକ୍ତ ଲୋକଙ୍କୁ ପୁଲିସରେ ଜିମା ଦେଇଥିଲେ । ସେକ ରବିଭଲଙ୍କୁ ପଚରା ଉଚରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ପାଇଛି ।

ହୁସେନଙ୍କ କହିବା ଅନୁସାରେ, ଭଦ୍ରକର ଜଣେ ବ୍ୟକ୍ତି ତାଙ୍କୁ ଆଣି ନକଲି ୧୦ ହଜାର ଟଙ୍କା ଦେଇଥିଲେ । ଏହି ନକଲି ଟଙ୍କାକୁ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ରାଜନଗର, ଜରିମୂଳ, ଇଶ୍ୱରପୁର, ଡାଙ୍ଗମାଳ, ତାଳଚୁଆ ବଜାରରେ ସେଲ କରାଇଛି ହୁସେନ । ୩୦ରୁ ୫୦ଟଙ୍କାର ଜିନିଷ କିଣି ୨ଶହ ୫ଶହ ଟଙ୍କିଆ ଭଙ୍ଗାଇଛି ବୋଲି ସେ ପୁଲିସ୍ ନିକଟରେ ସ୍ୱୀକାର କରିଛି ।

 

ତେବେ ନକଲି ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଠିକଣା ଓ ସମ୍ପୂର୍ଣ୍ଣ ପରିଚୟ ସେକ ରବିଭଲ ଦେଉନଥିବାରୁ ପୁଲିସର ତଦନ୍ତ ଆଗେଇ ପାରୁନଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି । ଭଦ୍ରକରୁ ଆସୁଥିବା ଏହି ନକଲି ଟଙ୍କା କେବଳ ସେକ ରବିଭଲ ସେଲ କରାଉଥିଲେ ନାଁ ଏହି ନକଲି ଟଙ୍କା କାରବାରରେ ଅନ୍ୟ କେତେଜଣ ସଂପୃକ୍ତ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।