ରୋବୋଟିକ୍ ‘ଡ୍ରୋନ୍’ ପାଇଁ ମାସେ ତଳେ ‘ନାସା’ରୁ ଆସିଥିବା ଚିଠି ଥିଲା ନକଲି । ସତ ଜାଣିବା ପରେ ଓଦା ଓଦା ହୋଇଗଲା ଅନୁଗୁଳ ଶ୍ରୁଭାଂଶୁଙ୍କ ଆଖି ।

768

କନକ ବ୍ୟୁରୋ: ବିଶ୍ୱର ସର୍ବବୃହତ୍‌ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ଦ୍ଵାରା ଚୟନ ହୋଇଛନ୍ତି ବୋଲି ଚିଠି ଆସିଥିଲା । ଚିଠି ପାଇବା ପରେ ପରିବାର ଖୁସି ଖେଳି ଯାଇଥିଲା । ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ଅନୁଗୋଳ ହୁଲୁରିସିଂହାର ଯୁବ ବୈଜ୍ଞାନିକ ଶୁଭ୍ରାଂଶୁ ଆଉ ତାଙ୍କ ରୋବୋଟିକ୍‌ ଡ୍ରୋନ୍‌ ‘ମାଭିକ୍‌ । ହେଲେ ଆମେରିକା ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରାଳୟରୁ ମିଳିଲା ନହିଁ ଅନୁମୋଦନ । କାରଣ ଚିଠି ନାସାରୁ ଆସିଛି କି ନାହିଁ ବୋଲି ତାହା ବୈଦେଶିକ ମନ୍ତ୍ରାଳୟ ସ୍ପ‌ଷ୍ଟ କରିପାରୁ ନାହିଁ । ଫଳରେ ଶୁଭ୍ରାଂଶୁ ବର୍ତ୍ତମାନା ପାଇଁ ନାସା ଯିବା ଅଧାରେ ଅଟକି ଯାଇଛି ।

ସେପଟେ ଶୁଭ୍ରାଂଶୁଙ୍କୁ ମିଳିଥିବା ନାସା ଚିଠିର ସତ୍ୟତା ଜାଣିବାକୁ ତଦନ୍ତ କରିଥିଲା ପୋଲିସ୍ । ଆଉ ପୋଲିସର ତଦନ୍ତ ପରେ ଶୁଭ୍ରାଂଶୁ ପ୍ରସ୍ତୁତ କରିଥିବା ‘ମାଭିକ୍‌’ ଡ୍ରୋନ୍‌କୁ ସୀକୃତି ମିଳିଛି କହି ନାସା ନାଁରେ ତାଙ୍କୁ ନକଲି ଚିଠି ଆସିଥିବା କହିଛି ପୋଲିସ । ଶୁଭ୍ରାଂଶୁଙ୍କୁ ଚିଠି ଆସିଥିବା ମେଲ ଆଇଡି ନକଲି । ପୋଲିସ କହିବା ଅନୁସାରେ ସାଇବର ସେଲ ଦ୍ୱାରା ତଦନ୍ତ କରିବା ପରେ ଏ କଥା ଜଣା ପଡିବା ସହ ଏହି ଠକେଇ ଜଣେ ନାବାଳକ ଦ୍ୱାରା କରା ଯାଇଥିବା ମଧ୍ୟ ଜଣା ପଡ଼ିଛି । ସେପଟେ ନାବାଳକ ହୋଇ ଥିବାରୁ ସମ୍ପୃକ୍ତ ନାବାଳକଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇ ପାରିବ ନାହିଁ ।

ତେବେ ଜୁଭେନାଇଲ ଜଷ୍ଟିସଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରା ଯାଇଥିବା ପୋଲିସ କହିଛି । ଜଷ୍ଟିସ ବୋର୍ଡ ଅନୁଧ୍ୟାନ କରିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଜଣା ପଡିଛି । ତେବେ ଠିକ୍ ମାସକ ତଳେ ଶୁଭ୍ରାଂଶୁ ଯେଉଁ ନାସା ଚିଠି ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ହଠାତ୍ ତାହା ନକଲି ନାସାର ଚିଠି ଜାଣି କଅଁଳ ମନ ଭାରି ଭାରି ହୋଇପଡ଼ିଛି ।