ରାଜ୍ୟରେ ନକଲି ଔଷଧ କାରବାର ପଛର ମୁଖ୍ୟ କାର୍ପଟଦାର କିଏ? କେବେ ଗିରଫ ହେବ କରୋନା କାଳରେ ନକଲି ଔଷଧ କାରବାର କରିଥିବା ଅଭିଯୁକ୍ତ, ୨ ଦିନ ପରେ ବି ପୋଲିସ ହାତ ଖାଲି ।

107

କନକ ବ୍ୟୁରୋ : କଟକରେ କିଭଳି ହୋଇଥିଲା ନକଲି ଫାଭିଫିରାଭିର୍ ଔଷଧର କାରବାର ? ବର୍ତମାନର ମହାମାରୀ ସମୟରେ କିଏ କରିଥିଲା ଏଭଳି କାରବାର ? କେବେ ଗିରଫ ହେବେ ଏଭଳି ନକଲି ଔଷଧ କାରବାର କରିଥିବା ଅଭିଯୁକ୍ତ ? କେବେ ଖୋଲିବ ନକଲି ଔଷଧ ଗୁମର ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠିଛି । ନକଲି ଔଷଧ ମିଳିବାର ୨ ଦିନ ପରେ କାହିଁକି ପୁଲିସ ଓ ଡ୍ରଗସ ସ୍କାର୍ଡର ହାତ ଖାଲି ରହିଛି । ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନରୁ ନକଲି ଔଷଧ ଯୋଗାଣ ନେଇ ସୁଚନା ମିଳିବା ପରେ ପଦକ୍ଷେପ ନେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ସୋଲାନରେ ଥିବା ମ୍ୟାକ୍ସ ରିଲିଫ୍ ହେଲଥ କେୟାର ଫାଭିମାକ୍ସ – ୪୦୦ ନାମରେ ନକଲି ଫାଭିପିରାଭିର୍ ଟାବଲେଟ ତିଆରି କରିଥିଲା । କଟକର କନିକା ଛକରେ ଥିବା ମେଡିଲଏଡ୍ ମେଡିକାମେଂଟ ପ୍ରାଇଭେଟ ଲିମିଟେଡ୍ ୫୮ ହଜାର ଟାବଲେଟ କିଣିଥିଲା ମ୍ୟାକ୍ସ ରିଲିଫ୍ ହେଲଥ କେୟାରର ଉତରପ୍ରଦେଶ ଶାଖାରୁ । ଏହି ସୁଚନା ଆଧାରରେ ଡ୍ରଗ୍ସ ଇନ୍ସପେକ୍ଟର କନିକା ଛକରେ ନକଲି ଔଷଧ କିଣିଥିବା ସଂସ୍ଥା ଉପରେ ଚଢାଉ କରିଥିଲା । ଏହି ସମୟରେ ଜଣାପଡିଥିଲା, କିଣାଯାଇଥିବା ୫୮ହଜାର ଟାବଲେଟ ମଧ୍ୟରୁ ୪୦ହଜାର ୬୦୦ ଟାବଲେଟ ମଧ୍ୟପ୍ରଦେଶ ଗ୍ୱାଲିୟରର ମହାଦେବ ମେଡିକାଲ୍ସ ଆଣ୍ଡ ସର୍ଜିକାଲକୁ ଯୋଗାଣ କରାଯାଇଛି । ବଳକା ଟାବଲେଟ ମଧ୍ୟରୁ ୪୦୦ ଟାବଲେଟକୁ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ୧୭ହଜାର ଟାବଲେଟକୁ ସିଜ୍ କରାଯାଇଛି ।

ଯେହେତୁ ବହୁ ପରିମାଣର ନକଲି ଫାଭିପିରାଭିର ଟାବଲେଟ ମଧ୍ୟପ୍ରଦେଶକୁ ଯୋଗାଣ ହୋଇଛି, ତେଣୁ ଏନେଇ ଉକ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇ ଦିଆଯାଇଛି । ବଡ କଥା ହେଉଛି, ସ୍ୱାସ୍ଥ୍ୟ ବିଭାଗର ଏହି ତଥ୍ୟ ଗୋଟିଏ ଦିଗକୁ ଇଙ୍ଗିତ କରୁଛି ଯେ ରାଜ୍ୟରେ ନକଲି ଫାଭିପିରାଭିର୍ ମେଡିସିନର ଯୋଗାଣ ହୋଇନାହିଁ । ହେଲେ ଏହାପରେ ଥିବା ତଥ୍ୟ କିନ୍ତୁ ଚିନ୍ତାଜନକ ।

ହିମାଚଳର ସଂସ୍ଥା ଯିଏ ନକଲି ଫାଭିପିରାଭିର୍ ଟାବଲେଟ ତିଆରି କରିଥିଲା ସେଠାରୁ କଟକ କନିକା ଛକରେ ଥିବା ମେଡିଲଏଡ୍ ମେଡିକାମେଂଟ ପ୍ରାଇଭେଟ ଲିମିଟେଡ୍ ଆଉ ୯ ପ୍ରକାରର ଔଷଧ କିଣିଛି । ଏସବୁ ଔଷଧର ଗୁଣାତ୍ମକ ମାନ କେତେ ରହିଛି ତାର ଅନୁଧ୍ୟାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଉକ୍ତ ୯ ପ୍ରକାର ଔଷଧର ସାମ୍ପୁଲ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇବା ସହ ବଳକା ମେଡିସିନକୁ ସିଜ୍ କରିଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

ଚିନ୍ତାର କଥା ହେଉଛି, ଏସବୁ ମଧ୍ୟରୁ କିଛି ଔଷଧକୁ ରାଜ୍ୟର କିଛି ଜିଲ୍ଲାକୁ ପଠାଇ ଦିଆଯାଇଛି । କେତେ ପରିମାଣର ଏହି ଔଷଧ ରହିଛି ସେନେଇ ସୁଚନା ନଥିବା ବେଳେ କେତେ ଲୋକ ଏହାକୁ ନେଇ ବ୍ୟବହାର କରିଛନ୍ତି, ତାର ବି ତଥ୍ୟ ମିଳିନାହିଁ । ତେବେ ୧୧ ତାରିଖରେ ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଏବଂ ଭୁବନେଶ୍ୱରରେ ରେଡ୍ କରାଯାଇ କିଛି ଔଷଧ ସିଜ୍ କରାଯାଇଥିଲା । ଏବେ ମଧ୍ୟ ଚଢାଉ ଜାରି ରହିଥିବା ସୁଚନା ମିଳିଛି । ତଦନ୍ତ ସରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ହେଉଥିବା ଜଣାପଡିଛି ।