ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର। ବେକରେ ଷ୍ଟେଥୋ ସ୍କୋପ୍ ପକାଇ ବୁଲୁଥିଲେ ୱାର୍ଡ। 

147

କନକ ବ୍ୟୁରୋ: ଦିନ ବୁଧବାର, ସମୟ ଅପରାହ୍ନ ୧ଟା । ଯେଉଁ ସମୟରେ ସାଧାରଣତଃ ମେଡିକାଲ ଏତେ ଗହଳି ନଥାଏ, ଡାକ୍ତରମାନେ ଖାଇବାକୁ କିଛି ସମୟ ପାଇଁ ଚିକିତ୍ସାରୁ ବିରତି ନିଅନ୍ତି ।ଏହି ସମୟରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ରୋଗୀ ଡାକ୍ତରଙ୍କ ଅପେକ୍ଷା କରିଥାନ୍ତି । ଯାହାର ଫାଇଦା ନେଇ ଡାକ୍ତରଖାନାରେ ପ୍ରବେଶ କରିଛନ୍ତି ଅସାଧୁ ଯୁବକ । ବେକରେ ଷ୍ଟେଥୋସ୍କୋପ୍ ପକାଇ ଅସଲି ଡାକ୍ତରଙ୍କ ଭଳି ବୁଲୁଛନ୍ତି ଗାଇନିଂୱାର୍ଡ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା । ଜଣେ ଯୁବକ ବେକରେ ଷ୍ଟେଥୋସ୍କୋପ୍ ପକାଇ ମେଡିକାଲକୁ ଆସିଲେ । ଡାକ୍ତରଖାନାରେ ଥିବା ସୁରକ୍ଷାକର୍ମୀଙ୍କୁ ଲେବର ୱାର୍ଡ, ଓଟି କେଉଁଠି ଅଛି ପଚାରିଥିଲେ । ସୁରକ୍ଷାକର୍ମୀ ପଚାରିଥିଲେ ତୁମେ କିଏ? ପ୍ରତି ଉତ୍ତରରେ ରାଜୀବ କହିଥିଲେ ମୁଁ ନୂଆଁ ଜଏନ କରିଛି । ସୁରକ୍ଷାକର୍ମୀ ନୂଆ ଡାକ୍ତରଭାବି ରାସ୍ତା ଦେଖାଇଦେଲେ । ୱାର୍ଡ଼ ବୁଲୁଥିବା ବେଳେ ସନ୍ଦେହ ଘେରକୁ ଆସିଥିଲେ ଯୁବକ । ସିଡିଏମଓ ଯୁବକଙ୍କୁ ପରିଚୟ ମାଗିବା ସହ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ । ଷ୍ଟେଥୋସ୍କୋପ୍ ଦେବାକୁ ଆସିଛି କହି ଆଉ କିଛି କହିପାରିନଥିଲେ ଯୁବକ ଜଣଙ୍କ । ମନ୍ଦ ଉଦ୍ୟସ ରଖି ଯୁବକ ମେଡିକାଲକୁ ଆସିଥିବା ସନ୍ଦେହ କରି ପୋଲିସକୁ ଡାକି ଯୁବକଙ୍କୁ ଦେଇଥିଲେ ସିଡିଏମଓ । ପଚରାଉଚରା ବେଳେ ଜଣାପଡ଼ିଛି ଯୁବକ ଜଣଙ୍କ ଜଣେ ନକଲି ଡାକ୍ତର । ଯୁବକଙ୍କ ନାଁ ରାଜୀବ ତାଙ୍କ ଘର ଯାଜପୁର ଜିଲ୍ଲାରେ । ଭଦ୍ରକ ଟାଉନ ଥାନାରେ ଯୁବକଙ୍କୁ ରଖି ପଚରାଉଚରା କରୁଛି ପୋଲିସ । ଯୁବକ ଜଣକ ଡାକ୍ତର ପରିଚୟ କାହିଁକି ଦେଇଥିଲେ ତଦନ୍ତ ଜାରି ରଖିଛି ପୋଲିସ ।