କନକ ବ୍ୟୁରୋ : ପୁଳା ପୁଳା ନୋଟ୍ । ଏସଟିଏଫ୍ ହାତରେ ଲାଗିଛି, ଅବିକଲ୍ ଅସଲ ଦେଖାଯାଉଥିବା ଜାଲ୍ ନୋଟ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ଏହି କାରବାରରେ ସଂପୃକ୍ତ ଥିବା ଯୁବକର ନାଁ ଦୀପକ ମେହେର । ଘର ସୁବର୍ଣ୍ଣପୁର ଜିଲ୍ଲାରେ । ଦୁନିଆକୁ ଦେଖାଇବା ପାଇଁ ଉପରକୁ ଲୁଗା ବ୍ୟବସାୟ କରୁଥିଲେ, କିନ୍ତୁ ପରଦା ପଛରେ ଚଳାଇଥିଲେ ଜାଲ୍ ନୋଟର କାରବାର । ମାତ୍ର ସପ୍ତମ ପଢ଼ିଥିବା ଦୀପକ କେତେ ଦିନ ହେଲା ଏହି କାରବାରରେ ସଂପୃକ୍ତ ଥିଲେ? ଏବଂ ଏହି ରାକେଟ୍ କେତେଦୂର ଯାଏଁ ଲମ୍ବିଛି ସେ ନେଇ ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ ।

Advertisment

ବଡ଼ କଥା ହେଉଛି- ୩ବର୍ଷ ଭିତରେ ୧ କୋଟି ୧୯ ଲକ୍ଷର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ଆଉ ଜାଲ୍ ନୋଟ୍ର ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶା । ସୁବର୍ଣ୍ଣପୁର ଜିଲ୍ଲାରୁ ଜାଲ୍ ନୋଟ୍ କାରବାର ସାମ୍ନାକୁ ଆସିବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସୁନ୍ଦରଗଡ଼ର ରାଉରକେଲା, ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଏବଂ ବରଗଡ଼ ଜିଲ୍ଲାରେ ଜାଲ୍ ନୋଟ୍ କାରବାର ଘଟଣା ସାମ୍ନାକୁ ଆସିଥିଲା । ତେବେ ସୁବର୍ଣ୍ଣପୁର ଜିଲ୍ଳାରୁ ଗିରଫ ହୋଇଥିବା ଏହି ଯୁବକର ଲିଙ୍କ୍ ପଡ଼ୋଶୀ ଛତିଶଗଡ଼ର ରାୟପୁର ସହର ସହ ଥିବା ଏସଟିଏଫ୍ ଆଶଙ୍କା କରୁଛି ।

ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ତେବେ ଘଟଣାସ୍ଥଳରୁ ଜାଲ ନୋଟ ପ୍ରସ୍ତୁତ ସଂରଜାମ ମଧ୍ୟ ଜବତ କରିଛି ଏସଟିଏଫ୍ ।