ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ । ବିଦ୍ୟାଳୟରେ ଦିଆଯାଉଛି ନକଲି ସାର୍ଟିଫିକେଟ ।

122

କନକ ବ୍ୟୁରୋ: ପିଲାଙ୍କ ଭବିଷ୍ୟତ ସହ ଖେଳ । ବିଦ୍ୟାଳୟରେ ଦିଆଯାଉଛି ନକଲି ସାର୍ଟିଫିକେଟ । ଏହି ଅଭିଯୋଗ ଆଣିବା ସହିତ ଥାନାର ଦ୍ୱାରସ୍ତ ହୋଇଛନ୍ତି ଅଭିଭାବକ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଧର୍ମନଗର ଅଞ୍ଚଳରେ ଥିବା ଏସଏକ୍ସ ପବ୍ଲିକ ସ୍କୁଲରେ । ସ୍କୁଲରେ ପିଲା ପାଠ ପଢୁଛନ୍ତି । ସେମାନଙ୍କ ସାର୍ଟିଫିକେଟ ବି ମିଳିଛି । ହେଲେ ସେଥିରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ବଦଳରେ ରହିଛି ବାହାର ଶିକ୍ଷାନୁଷ୍ଠାନ ନାଁ । ଅଭିଭାବକ ମାନଙ୍କୁ ସିବିଏସଇ ଅନୁମୋଦିତ କହି ପ୍ରଭାବିତ କରାଯାଇଥିଲା । ଏପରିକି ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇ ପାଠପଢା ବାବଦକୁ ମୋଟା ଅଙ୍କର ଟଙ୍କା ମଧ୍ୟ ନିଆଯାଇଥିଲା । ହେଲେ ଏବେ ସ୍କୁଲ କର୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ ହୋଇଛି । ସାର୍ଟିଫିକେଟ ନକଲି ଥିବା ଅଭିଯୋଗ କରିଛନ୍ତି ଅଭିଭାବକମାନେ । ହେଲେ ପାଲଟା ସେମାନଙ୍କୁ ଧମକ ଚମକ ମିଳିଚାଲିଛି । ଯାହା ପାଇଁ ଏବେ ଅଭିଭାବକ ମାନେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଖୁବଶୀଘ୍ର ସ୍କୁଲରେ ତାଲା ପକାଇବା ସହ ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।