କନକ ବ୍ୟୁରୋ: ନିଜର ଭବିଷ୍ୟତ ଗଢ଼ିବା ପାଇଁ କଲେଜରେ ଫିସ୍ ଦେଇ ଆଡମିସନ୍ କଲେ । ପାଠ ବି ପଢ଼ିଲେ । ପରୀକ୍ଷା ଦେବା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଆସିଲା । ହେଲେ ପରୀକ୍ଷା ହଲକୁ ଯିବ ବେଳେ ଆଡ଼ମିଟ୍ କାର୍ଡ ଡୁପ୍ଲିକେଟ୍ ଥିବା ଜଣାପଡ଼ିଲା । ଯାହା ଫଳରେ ୭ଜଣ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଆଉ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଧମକ ଚମକ ମିଳିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣି ୩ଜଣ ଛାତ୍ରୀ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଛେଣ୍ଡିପଦା ଠାରେ ଥିବା ସାଇ ଶ୍ରଦ୍ଧା କଲେଜ ଅଫ୍ ନର୍ସିଂ ନାମକ ଏକ ଅନୁଷ୍ଠାନ ଖୋଲିଛି । ତେବେ ଏହି ଅନୁଷ୍ଠାନ ନର୍ସିଂ ପାଠ ପଢ଼ାଇବା ଆଳରେ ଠକେଇ କରିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ପୁରା କୋର୍ସ ଫି ଦେଇ ସେମାନେ ଆଡମିସନ୍ କରିବା ପରେ ବର୍ଷେ ପାଠ ପଢ଼ିଥିଲେ । ପରୀକ୍ଷା ଆସିବା ପୂର୍ବରୁ ପରୀକ୍ଷା ଫିସ୍ ମଧ୍ୟ ଦେଇଥିଲେ । ହେଲେ ଶେଷ ସମୟରେ ଆଡମିଟ୍ କାର୍ଡ ଡୁପ୍ଲିକେଟ୍ ବୋଲି ଜଣାପଡିଥିଲା । ଏନେଇ ପୁଲିସ ଓ ପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସମାଧାନ ହେଉନାହିଁ । ତେଣୁ ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବା ସହ କ୍ଷତିପୂରଣ ଦାବି କରି ଧାରଣାରେ ବସିଛନ୍ତି ଛାତ୍ରୀ ।