ବିଧାନସଭାରେ ଅଭାବନୀୟ ସ୍ଥିତି, କନକ-ସଂଜୟ ମୁହାଁମୁହିଁ ! ଗୃହରେ ଚାଷୀ ତାତି, ୩ଦିନ ହେଲା ଗୃହ ଅଚଳ ।

178

କନକ ବ୍ୟୁରୋ : ଗୃହରେ ଚାଷୀ ତାତି । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଚାଷୀ ସମସ୍ୟାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୂଲତବୀ କରିବାକୁ ପଡିଥିଲା । ସେପଟେ ବିଜେଡି ବିଧାୟକମାନେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ । ଏହାରି ଭିତରେ ବିଧାନସଭା ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ବିଜେଡି ବିଧାୟକ ସଂଜୟ ଦାସବର୍ମାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।

ଆଜି ବିଧାନସଭାର ଶୁନ୍ୟକାଳରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ  ଓ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ମୁହାଁମୁହିଁ ହୋଇଯାଇଥିଲେ । ଗୃହ ଭିତରେ ଚାଲିଥିଲା କଥା କଟାକଟି । କନକ ବର୍ଦ୍ଧନ ବିଜେପି ବିଧାୟକମାନଙ୍କୁ ଉସୁକେଇବା କାରଣରୁ ଗୃହରେ ସେମାନେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି । ତେଣୁ ଗୃହ ସୁରୁଖୁରୁରେ ଚାଲିପାରୁନାହିଁ ବୋଲି ଶୁନ୍ୟକାଳରେ ସିଧା ସିଧା ଆକ୍ଷେପ କରିଥିଲେ ସଂଜୟ । ଅନ୍ୟପଟରେ ସଂଜୟଙ୍କ ବିପରୀତରେ ବସିଥିବା କନକ ବର୍ଦ୍ଧନ ଚିହିଁକି ଉଠିଥିଲେ । ଆଉ ସୀମାରେ ରହି କଥା କୁହନ୍ତୁ ବୋଲି ତାଗିଦ କରିଥିଲେ ସଂଜୟଙ୍କୁ ।

ବିଧାନସଭାରେ ଚାଷୀ ତାତି । ୩ଦିନ ହେଲା ଗୃହ ଅଚଳ । ଆଜି ବଜେଟ ଅଧିବେଶନର ତୃତୀୟ ଦିନରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ଗୃହ ଆରମ୍ଭରେ ସାଂସଦ ଲଡୁ କିଶୋର ସ୍ୱାଇଁ ଏବଂ ପୂର୍ବତନ ବିଧାୟକ ପ୍ରିୟନାଥ ଦେଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ  । ପରେ ଆରମ୍ଭ ହୋଇଯାଇଥିଲା ହାଇଭୋଲଟେଜ ଡ୍ରାମା । ଗୃହର ମଧ୍ୟ ଭାଗକୁ ପଶିଆସି ବିରୋଧି ବିଜେପି ଓ କଂଗ୍ରେସ ସଦସ୍ୟ ହଲ୍ଲା ବୋଲ କରିଥିଲେ । କଂଗ୍ରେସ ବିଧାୟକମାନେ ଚାଷୀ ଋଣ ଛାଡ, ଏମଏସପି ଏବଂ ମଣ୍ଡି ଅବ୍ୟବସ୍ଥା ନେଇ ଶାସକ ଦଳ ଉପରେ କରିଥିଲେ ଷଣ୍ଢୁଆସି ଆକ୍ରମଣ ।

ବିଜେପି ବିଧାୟକ ମଧ୍ୟ ସୁଯୋଗକୁ ହାତ ଛଡା ନକରି ରେମୁଣାରେ ଇଡକୋ ଜମି ହଡପ ବିବାଦରେ ପ୍ରତିବାଦ କରିଥିଲେ । ରେମୁଣା ବିଧାୟକ ଗୋବିନ୍ଦ ଦାସ ମହାତ୍ମାଗାନ୍ଧିଙ୍କ ମୂର୍ତି ତଳେ ଧାରଣାରେ ବସିଥିଲେ । ଗୃହକୁ ବାରମ୍ବାର ମୂଲତବୀ କରାଯାଇଥିଲା । ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଗୃହକୁ ଚଳାଇବାପାଇଁ ଆଲୋଚନା କରିଥିଲେ । ଅନ୍ୟପଟେ ବିଜେଡି ବିଧାୟକମାନେ ଉଠାଇଥିଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । । ତେବେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଦିନ । କାହିଁକି ନା ରାଜ୍ୟ ସରକାର କାମଚଳା ବଜେଟ ଉପସ୍ଥାପନ କରିବେ । ଏହି ବଜେଟରେ କେଉଁ କେଉଁ ସେକ୍ଟରକୁ ଗୁରୁତ୍ୱ ଦେଉଛନ୍ତି ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର ।