ଗାଡି ମାଲିକଙ୍କ ପାଇଁ ଆଶ୍ୱସ୍ତି । ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ସମସ୍ତ ନମ୍ବର ପାଇଁ ସମୟ ସୀମା ମାସେ ବୃଦ୍ଧି ।

156

କନକ ବ୍ୟୁରୋ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଚିନ୍ତାରେ ଥିବା ଗାଡି ମାଲିକଙ୍କ ପାଇଁ ଭଲ ଖବର । ହାଇକୋର୍ଟରେ ଏହି ମାମଲା ପହଞ୍ଚିଥିବା ବେଳେ ସମସ୍ତ ନମ୍ବର ପାଇଁ ମାସେ ପର୍ଯ୍ୟନ୍ତ ବଢିଛି ସମୟ ସୀମା । ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ଗୋଟିଏ ମାସ ଘୁଞ୍ଚାଇବା ନେଇ ହାଇକୋର୍ଟଙ୍କୁ ରାଜ୍ୟ ପରିବହନ ବିଭାଗ ଜଣାଇବା ସହ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି । ଏଥିସହ ସରକାର କୋର୍ଟରେ କହିଛନ୍ତି…

  • ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଭିତ୍ତିଭୂମି ବିକାଶ କରାଯିବ
  • ଜନସେବା, ମୋ ସେବା କେନ୍ଦ୍ରରେ ନମ୍ବର ପ୍ଲେଟ ବୁକିଂ ହେବ
  • ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବ
  • ଅନଲାଇନରେ କେମିତି ସ୍ଲଟ ମିଳିବ ତାହାର ବ୍ୟବସ୍ଥା କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି 

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଶୁଣାଣି କରି ଗତ ୨୮ ତାରିଖର ହାଇକୋର୍ଟ ଡେଡଲାଇନ୍ ଘୁଞ୍ଚାଇ ହେବ ନା ନାହିଁ ବୋଲି ପ୍ରଶ୍ନ କରିଥିଲେ । ହେଲେ ଶୁକ୍ରବାର ଶୁଣାଣିରେ ନୂଆ ନମ୍ବର ପ୍ଲେଟ ଲଗାଇବା ଅବଧିକୁ ମାସେ ଯାଏଁ ଘୁଞ୍ଚାଇଥିବା କୋର୍ଟଙ୍କୁ ଜଣାଇବା ସହ ରାଜ୍ୟ ସରକାର ନୂଆ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି ।

ରାଜ୍ୟ ସରକାରଙ୍କ ନୂଆ ବିଜ୍ଞପ୍ତି ଅନୁସାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ମାସେ ମହଲତ ମିଳିଛି । ଅର୍ଥାତ୍ ସେପ୍ଟେମ୍ବର ୩୦ସୁଦ୍ଧା ନୂଆ ନମ୍ବର ପ୍ଲେଟ ଲଗାଇବା ଅବଧି ଏବେ ଅକ୍ଟୋବର ୩୧କୁ ଘୁଞ୍ଚିଯାଇଛି । ସରକାରଙ୍କ ନୂଆ ବିଜ୍ଞପ୍ତି ଆସିବା ପରେ କେମିତି ନୂଆ ନମ୍ବର ପ୍ଲେଟ ଲଗାଇବା ଅବଧି ଘୁୁଞ୍ଚିଛି ନଜର ପକାଇ ନିଅନ୍ତୁ…ଗାଡ଼ିିର ଶେଷ ନମ୍ବର ୧,୨,୩,୪ ପାଇଁ ସେପ୍ଟେମ୍ବର ୩୦ ଥିଲା ଡେଡଲାଇନ୍ । ଏବେ ସମୟ ସୀମା ବଢ଼ିବା ପରେ ୩୧ ଅକ୍ଟୋବର ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇପାରିବେ । ୫,୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଡେଡଲାଇନ୍ । ଗାଡିର ଶେଷ ନମ୍ବର ୭ ଓ ୮ ପାଇଁ ପୂର୍ବରୁ ନଭେମ୍ବର ଶେଷ ଯାଏଁ ଡେଡଲାଇନ ଥିଲା ଏବେ ସମୟ ସୀମା ଡିସେମ୍ବର ୩୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି ୯ ଓ ୦ ଶେଷ ଅଙ୍କ ଥିବା ଗାଡି ପାଇଁ ଜାନୁୟାରୀ ୩୧ ତାରିଖ ଶେଷ ଦିନ ରହିଛି ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଭିତ୍ତିଭୂମି ନଥାଇ କିପରି ସରକାର ଡେଡଲାଇନ ଘୋଷଣା କଲେ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଶୁଣାଣି ସମୟରେ ଆବେଦନକାରୀ ଡିସେମ୍ବର ଯାଏଁ ସ୍ଲଟ ନାହିଁ କହି ଖବରକାଗଜ ରିପୋର୍ଟ ଦେଖାଇଥିଲେ । ସମୟ ସୀମା ବୃଦ୍ଧି କରାଯାଇଥିବାରୁ ହାଇକୋର୍ଟ ପରବର୍ତ୍ତି ଶୁଣାଣି ଯାଏଁ ଅପେକ୍ଷା କରିବାକୁ କହିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୨୬ ତାରିଖରେ ହେବ ।