ଆସାମ, ମଣିପୁର, ଆନ୍ଧ୍ରପ୍ରଦେଶ ଓ କଲିକତାକୁ ରପ୍ତାନୀ ହେଉଛି କଣାସ ଅଞ୍ଚଳର ଦେଶୀ ସୁଖୁଆ: ଲୁଣା ନଦୀପଠା ହୋଇଛି ଶୁଖୁଆ ଖଳା

146

କନକ ବ୍ୟୁରୋ: ଚର୍ଚ୍ଚାରେ କଣାସ ଅଂଚଳର ଦେଶୀ ଶୁଖୁଆ । ବକୁଳିସାହି ଗାଁ ନିକଟସ୍ଥ ଲୁଣା ନଦୀବନ୍ଧରେ ଶୁଖୁଆ ପ୍ରସ୍ତୁତି ପାଇଁ କରାଯାଇଛି ଶୁଖୁଆ ଖଳା । ନଦୀପଠାରେ ଛୋଟ ଛୋଟ ବେଡ ପ୍ରସ୍ତୁତ କରି ଶୁଖୁଆ ଶୁଖଉଛନ୍ତି ବ୍ୟବସାୟୀ । ଗାଁ ଗହଳିର ନଦୀ ଓ ପୋଖରିର ମଧୁର ଜଳର ଚୁନା ମାଛ ସଂଗ୍ରହ କରି ଶୁଖୁଆ ପ୍ରସ୍ତୁତ କରି ଏହାକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ କରାଯାଉଛି । ଏହା ଦ୍ୱାରା ପାଖାପାଖି ୨୦ରୁ ୨୫ଜଣ ରୋଜଗାର କରିପାରୁଛନ୍ତି । ଏଠାରୁ ପ୍ରସ୍ତୁତ ହେଉଥିବା ଶୁଖୁଆ କେବଳ ଓଡ଼ିଶା ନୁହେଁ ଆସାମ, ମଣିପୁର, ଆନ୍ଧ୍ର ପ୍ରଦେଶ, କଲିକତାକୁ ମଧ୍ୟ ରପ୍ତାନୀ କରାଯାଉଛି ।

ଗଣିଆ, କେରାଣ୍ଡି, ମିନ, କାଂଜିଆ, ଗଡ଼ିଶା, ଫଳି ଭଳି ଅନେକ ଛୋଟ ଛୋଟ ଚୁନା ମାଛ କିଲୋ ପ୍ରତି ୪୦ ଟଙ୍କାରେ କିଣି ରାଜ୍ୟ ବାହାରକୁ ୨୫୦ ଟଙ୍କାରେ ବିକ୍ରି କରାଯାଉଛି । ୪କିଲୋ କଂଚା ମାଛରୁ ଏକ କିଲୋ ଶୁଖୁଆ ପ୍ରସ୍ତୁତ ହୋଇଥାଏ । ପ୍ରଥମେ କଂଚା ମାଛରୁ କାତି ଛଡ଼ାଇ ସେଥିରେ ଲୁଣ ଦେଇ ୧୨ ଘଂଟା ପର୍ଯ୍ୟନ୍ତ ଭିଜାଇ ରଖିବାକୁ ପଡ଼ିଥାଏ । ଏହା ପରେ ଖରାରେ ୩ଦିନ ପର୍ଯ୍ୟନ୍ତ ଶୁଖାଇ ରଖିବା ପରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୁଏ ଦେଶୀ ଶୁଖୁଆ । ଏହାଦ୍ୱାରା କିଛି ରୋଜଗାର ମିଳିପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ ।

କୁଇଂଟାଲ କୁଇଂଟାଲ ଶୁଖୁଆ ଟ୍ରେନ ଯୋଗେ କଣାସ ଅଂଚଳରୁ ରାଜ୍ୟ ବାହାରକୁ ରପ୍ତାନୀ କରାଯାଉଛି । ଦୀର୍ଘ ୫ ବର୍ଷ ହେଲା କଣାସ ଅଂଚଳର ବନମାଳି ପରିଡ଼ା ଦେଶୀ ଶୁଖୁଆ ପ୍ରସ୍ତୁତ କରି ଅନେକ ଲୋକଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି ।