ଅକ୍ସଫୋର୍ଡର କରୋନା ଟୀକା ନେଇ ବଢୁଛି ଉତ୍ସାହ : ସେରମ ଇନଷ୍ଟିଚ୍ୟୁଟର ସିଇଓ କହିଲେ, ପରୀକ୍ଷଣ ଠିକ ଚାଲିଲେ ୨୦୨୧ ପ୍ରଥମାର୍ଦ୍ଧରେ ଆସିପାରେ ଟୀକା; ୧୦୦ ମିଲିୟନ ଟୀକା ଟାର୍ଗେଟରେ ଚାଲିଛି ଉତ୍ପାଦନ 

217

କନକ ବ୍ୟୁରୋ : କେବେ ଉପଲବ୍ଧ ହେବ କରୋନା ଟିକା ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି । ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନୱଲା । ଆସନ୍ତାବର୍ଷ ଦ୍ୱିତୀୟ କିଂବା ତୃତୀୟ ତ୍ରୟମାସିକ ସୁଦ୍ଧା ଭାରତରେ କରୋନା ଟିକା ଉପଲବ୍ଧ ହେବା ଉଚିତ୍ ବୋଲି ସେ କହିଛନ୍ତି । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଏପରି ବୟାନ୍ ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନୱଲା ।

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରଥମ ଥର ପାଇଁ ୧୦୦ ମିଲିୟମ ଟିକା ଉତ୍ପାଦନ ଲକ୍ଷ୍ୟରେ କାମ ଜାରି ରଖିଛି । ୨୦୨୧ ମସିହାର ଦ୍ୱିତୀୟ କିଂବା ତୃତୀୟ ତ୍ରୟମାସିକ ସୁଦ୍ଧା ଏହି ଟିକାକୁ ପ୍ରସ୍ତୁତ ହୋଇପାରିବା ଯୋଜନା ରଖି କାମ ଆଗେଇ ଚାଲିଛି ବୋଲି କହିଛନ୍ତି ଅଦାର ପୁନୱଲା । କରୋନା ଟିକାକୁ ନେଇ ଚାଲିଥିବା ପରୀକ୍ଷଣ ପ୍ରକ୍ରିୟା ଆସନ୍ତା ଡିସେମ୍ୱର ମାସ ସୁଦ୍ଧା ସରି ଯାଇଥିବ ବୋଲି ସେ ସୂଚନା ଦେଇଛନ୍ତି । ଏପରି ହେଲେ ଜାନୁଆରୀ ମାସ ବେଳକୁ ଟିକା ଉପଲବ୍ଧ ହୋଇପାରିବ ।

ଏହା ସହିତ ଅଦର ପୁନୱଲା କହିଛନ୍ତି ଯଦି ବ୍ରିଟେନ୍, ଯେଉଁଠାରେ ଟିକାର ଅଗ୍ରଣୀ ପରୀକ୍ଷଣ ସବୁ ଚାଲିଛି , ତଥ୍ୟ ଆମ ସହିତ ବିନିମୟ କରେ, ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଠାରୁ ଜରୁରୀ ଅନୁମତି ନେଇ ସେହି ଟିକା ପରୀକ୍ଷଣକୁ ଭାରତରେ ବି କରିପାରିବୁ । ଏହା ଯଦି ସଫଳ ରହେ ତେବେ ଆଗାମୀ ଡିସେମ୍ୱର ୧୫ ସୁଦ୍ଧା ଆମ ନିକଟରେ ଭାକସିନ୍ ହୋଇସାରିଥିବ । ସୂଚନା ଅନୁସାରେ ଏବେ ସାରା ବିଶ୍ୱସ୍ତରରେ ୧୫୦ରୁ ଅଧିକ କରୋନା ଟିକାର ପରୀକ୍ଷଣ ଜାରି ରହିଛି ।

ଏହା ମଧ୍ୟରୁ ୩୮ଟିର ମାନବୀୟ ପରୀକ୍ଷଣ ଜାରି ରହିଛି । ଏହା ମଧ୍ୟରୁ ମଡର୍ଣ୍ଣ ଇଂକ୍ , ଫାଇଜର ଇଂକ୍ ଏବଂ ଅଷ୍ଟ୍ରାଜେନିକା ପରି ଟିକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଁଚି ସାରିଛି । ଏପରି ସମୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନୱଲାଙ୍କ ଏପରି ବୟାନ୍ କରୋନା ଟିକାକୁ ନେଇ ଆଶା ବଢାଇ ଦେଇଛି ।