କନକ ବ୍ୟୁରୋ : ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ମାଡ଼ ଖାଇଗଲେ ଅବକାରୀ ଅଧିକାରୀ ଓ ଷ୍ଟାଫ । ଖଣ୍ଡା, କାତି ଓ ବନ୍ଧୁକ ଧରି ଆକ୍ରମଣ କଲେ ଗଞ୍ଜେଇ ମାଫିଆ । ଗୁରୁତର ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କୋରାପୁଟ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରୁ ଗଞ୍ଜେଇ ନେଇ ଚମ୍ପଟ ମାରିଛନ୍ତି ମାଫିଆ ।

Advertisment

କୋରାପୁଟ ଜିଲ୍ଳା କୋଟପାଡ଼ ଥାନା ଅନ୍ତର୍ଗତ ଘଡ଼ାଘାଟ ଜଙ୍ଗଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଜଙ୍ଗଲ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇଁ ଜୟପୁର ଅବକାରୀ ଅଧିକାରୀ ନିଜ ଟିମ ସହ ମାଫିଆକୁ ଧରିବା ପାଇଁ ରାତିଅଧିଆ ଚଢ଼ାଉ କରିଥିଲେ । ଏହି ଟିମରେ ବୋରିଗୁମ୍ମା, କୋଟପାଡ଼, ଓ ଜୟପୁରର ୧୯ ଜଣ ଅବକାରୀ କର୍ମଚାରୀ ଓ ଅଧିକାରୀ ସାମିଲ ଥିଲେ ।

ସୂଚନା ଅନୁସାରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସମୟରେ ମାଡ଼ି ବସିଥିଲା ଅବକାରୀ ବିଭାଗ । କିନ୍ତୁ ଅବକାରୀ ଟିମ ପାଖରେ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ନଥିବାରୁ ଗଞ୍ଜେଇ ମାଫିଆମାନେ ଆକ୍ରମଣ କରି ଖସିଯାଇଛନ୍ତିି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଅବକାରୀ ଥାନା ଅଧିକାରୀ ଦୁବଦଳ ବିଶ୍ୱାଳ ଓ କନେଷ୍ଟବଳ ମେଘନାଥ ସବର ଗୁରୁତର ହୋଇଛନ୍ତି ।

ଉଭୟଙ୍କୁ ପ୍ରଥମେ କୋଟପାଡ଼ ମେଡ଼ିକାଲ ଓ ପରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି । ଏଠାରେ ପ୍ରଶ୍ନ ଉଠୁଛି ବିନା ଅସ୍ତ୍ର ଶସ୍ତ୍ରରେ କିପରି ରାତି ଅଧିଆ ନିଜ ଜୀବନକୁ ବାଜି ଲଗାଇ ମାଫିଆକୁ ଧରିବାକୁ ଯାଉଥିଲେ ।