ବାହାଘର ପରେ ଶାଶୁଘର ବଦଳରେ ଶ୍ମଶାନକୁ ଗଲା କନ୍ୟା : ବିଦାୟୀ ବେଳେ କାନ୍ଦି କାନ୍ଦି ହୋଇଗଲେ ଅଚେତ; ହୃଦଘାତରେ ଚାଲିଗଲା ଜୀବନ

ନବବଧୁର ମୃତ୍ୟୁକୁ ନେଇ ସୁବର୍ଣ୍ଣପୁର ଯୁଲୁଣ୍ଡା ଗାଁ ସ୍ତବ୍ଧ

2,278

କନକ ବ୍ୟୁରୋ : ବାହାଘର ବିଦାୟୀ ବେଳେ ଘଟିଲା ଅଘଟଣ । କାନ୍ଦି କାନ୍ଦି ଅଚେତ ହୋଇଗଲେ କନ୍ୟା । ଆଉ ହୃଦଘାତରେ ଚାଲିଗଲା ଜୀବନ । ବାହାଘର ପରେ ସ୍ୱାମୀଙ୍କ ସହ ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଗଲା କନ୍ୟାର ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଯୁଲୁଣ୍ଡା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଗତକାଲି ରାତିରେ ଯୁୁଲୁଣ୍ଡା ଗାଁର ରୋଜିଙ୍କ ବାହାଘର ବଲାଙ୍ଗୀର ତେତେଲ ଗାଁର ବିଶିକେସନଙ୍କ ସହ ହୋଇଥିଲା ।

ବରଯାତ୍ରୀ ଆସିଥିଲେ, ଭୋଜି ଭାତ ବି ହୋଇଥିବା । ବାପାଙ୍କ ମୃତ୍ୟୁ ପରେ ମାମୁ ଖୁବ୍ ଆଡମ୍ବରରେ ରୋଜିଙ୍କ ବାହାଘର କରିଥିଲେ । ହେଲେ ରୋଜି ବାହା ହୋଇ ବିଶିକେସନଙ୍କ ହାତ ଧରି ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଯାଇଛି ତାଙ୍କ ମୃତଦେହ । ମିଳିଥିବା ସୂଚନା ଅନୁସାରେ, ବରଙ୍କ ସହ ଗାଡିରେ ବସିବା ବେଳେ କାନ୍ଦି କାନ୍ଦି ତଳେ ପଡି ଯାଇଥିଲେ ରୋଜି । କିଛି ସମୟ ଯାଏଁ ତାଙ୍କ ଚେତା ନଫେରିବାରୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି । ପୁରା ଗାଁ ସ୍ତବ୍ଧ ହୋଇଯାଇଛି ।