କନକ ବ୍ୟୁରୋ: ସମୟ ବଦଳିଛି, ଶାସନ ବଦଳିଛି । କିନ୍ତୁ ଶାଳିନତା, ସଞ୍ଜମତା ଓ ପରିପକ୍ୱତା ସେମିତି ଅତୁଟ ରହିଛି । ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶପଥ ଗ୍ରହଣରେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ମଞ୍ଚରେ ପହଞ୍ଚିଥିଲେ, ନବୀନଙ୍କ ସମ୍ମାନରେ ସମସ୍ତେ ଛିଡ଼ା ହୋଇଯାଇଥିଲେ । ଆଉ ସ୍ୱଭାବ ସୁଲଭ ଢ଼ଙ୍ଗରେ ନମସ୍କାର ଓ ପ୍ରତି ନମସ୍କାର କରି, ଆସନ ପାଖକୁ ଅଗେଇ ବଢ଼ୁଥିବା ବେଳେ ଜଣେ ପରେ ଜଣେ ବରିଷ୍ଠ ବିଜେପି ନେତା ଆସି ବିଜେଡି ସୁପ୍ରିମୋଙ୍କୁ ସମ୍ମାନ ଜଣାଉଥିଲେ ।

Advertisment

ରାଜନୀତିର ଏ ଥିଲା ଅନ୍ୟତମ ରୋଚକ ଦୃଶ୍ୟ । ବର୍ଷ ବର୍ଷ ଧରି ପରସ୍ପର ବିରୋଧରେ ରାଜନୈତିକ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ନେତା ଓ ବିଜେଡି ସୁପ୍ରିମୋ, ସବୁ କିଛି ଭୁଲି ନିଜ ନିଜ ଦାୟିତ୍ୱ ତୁଲାଉଥିଲେ । ଜଣେ ନୂଆ ଶାସନ ହାତକୁ ନେବା ଆଗରୁ ଶପଥ ପାଇଁ ସଜବାଜ ହେଉଥିଲେ । ଆଉ ଜଣେ ଜନମତକୁ ସ୍ୱାଗତ କରି ନୂଆ ଶାସକଙ୍କୁ ଆଗକୁ ବାଟ ଛାଡ଼ି ଦେଉଥିଲେ । ଯଦିଓ ରାଜନୀତିରେ ହାର୍-ଜିତ୍ ଅଛି, ଜୟ-ପରାଜୟ ଅଛି, ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କୁ ମଞ୍ଚ ଉପରେ ଦେଖି ସମସ୍ତେ ଏକ ପ୍ରକାର ଭାବବିହ୍ୱଳ ହୋଇଯାଉଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନବୀନ ପଟ୍ଟନାୟକଙ୍କୁ ବାଟ କଢ଼େଇ ତାଙ୍କ ଆସନ ପାଖକୁ ନେଇ ଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା. ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସହ ମଞ୍ଚ ଉପରେ ଭାବ ବିନିମୟ କରୁଥିବା ଦେଖିବାକୁ ମିଳିଥିଲା । ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ନିମନ୍ତ୍ରଣକୁ ରକ୍ଷା କରି ନବୀନ ପଟ୍ଟନାୟକ, ନୂଆ ସରକାରର ଶପଥ ଗ୍ରହଣରେ ଆସି ଏକ ପରିପକ୍ୱ ରାଜନେତାର ପ୍ରମାଣ ଦେଇଥିଲେ ।