ଦୁଇ ଦିନର ବନ୍ଦ ପରେ ପୁରୀରେ ପୁଣି ଆଜିଠାରୁ ଉଚ୍ଛେଦ : ବଡଆଖଡା ମଠରେ ଚାଲିବ ଡ୍ରୋଜର, ମାଜିଷ୍ଟ୍ରେଟଙ୍କ ସହ ଜଗିବେ ୨୫ ପ୍ଲାଟୁନ ଫୋର୍ସ

242

କନକ ବ୍ୟୁରୋ : ଦୁଇ ଦିନ ବନ୍ଦ ରହିବା ପରେ ଆଜି ପୁଣି ଆରମ୍ଭ ହେବ ପୁରୀରେ ଉଚ୍ଛେଦ ପ୍ରକିୟା । ଏମାର ମଠର ବିବାଦୀୟ ଜାଗାକୁ ବାଦ୍ ଦେଇ ଆଜିଠାରୁ ବଡ଼ଆଖଡ଼ା ମଠକୁ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏମାର ମଠ ଜାଗାରେ ଥିବା ବଣିଆପଟିର ବଳକା ଦୋକାନ ଘର ସହ ଖଜାପଟିର କିଛି ଦୋକାନ ବି ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି । ଆବଶ୍ୟକ ହାଇଡ୍ରା, ଜେସିବି, ଡ୍ରିଲର୍‌ ମେସିନକୁ ପ୍ରସ୍ତୁତ ରଖାଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଏକାଧିକ ମାଜିଷ୍ଟ୍ରେଟ୍‌ଙ୍କ ସହ ପ୍ରାୟ ୨୫ ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯାଇଛି।

ଅନ୍ୟପଟେ ଆଜିଠାରୁ ପ୍ରଶାସନ ତରଫରୁ ଅସ୍ଥାୟୀ ଥଇଥାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଜଗନ୍ନାଥ ବଲ୍ଲଭରେ ଖାଲିଥିବା ଦୋକାନ ଘର ଓ ଅନ୍ୟାନ୍ୟ ଜାଗାରେ ବଣିଆପଟି, ଲୁଗାପଟି, କଂସାପଟି ସହ ଅନ୍ୟାନ୍ୟ ଦୋକାନୀମାନଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା ହୋଇଛି । ତେବେ ଏମାର ମଠ ମହନ୍ତଙ୍କୁ ଖାଲି କରିବାକୁ ବିଫଳ ହୋଇଛି ପ୍ରଶାସନ । ମହନ୍ତ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ଏମାର ମଠ ଉଚ୍ଛେଦ କାମ ଅଧାରେ ଅଟକିଛି । ପୁରାତନ ବଡ଼ଆଖଡ଼ା ମଠରେ ପୂର୍ବରୁ ଏସିଆର ସବୁଠୁ ବଡ଼ ସିଂହଦ୍ବାର ଥାନା ବର୍ଷ ବର୍ଷ ଧରି ଚାଲି ଆସୁଥିଲା ।

ସେହିଭଳି ଲୁଗାପଟିରେ ୧୦ରୁ ଅଧିକ ଲୁଗା ଦୋକାନ ସହ ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଦୋକାନ ବି ରହିଥିଲା । ଏମାର ମଠ ଭାଙ୍ଗିବା ସମୟରେ ସିଂହଦ୍ବାର ଥାନାକୁ ବାଗେଡ଼ିଆ ମଠକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଲୁଗାପଟି ଓ ଅନ୍ୟାନ୍ୟ ଦୋକାନୀମାନେ ଦୋକାନ ଘର ଖାଲି କରିନଥିବାରୁ ଗତ ଅଗଷ୍ଟ ୩୧ ସଂଧ୍ୟା ସୁଦ୍ଧା ଦୋକାନ ଘର ଖାଲି କରିବାକୁ ପ୍ରଶାସନ ନିର୍ଦେଶ ଦେଇଥିଲା । ଏହି ନିର୍ଦେଶ ପରେ ଦୁଇ ମହଲା ବିଶିଷ୍ଟ ବଡ଼ଆଖଡ଼ା ମଠ ଖାଲି ହୋଇଯାଇଛି । ସ୍ନାନମଣ୍ଡପ ସମ୍ମୁଖ ଲଙ୍ଗୁଳି ମଠକୁ ଲାଗି ରହିଥିବା ଏହି ମଠକୁ ମାଟିରେ ମିଶାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ଦୃଷ୍ଟିରୁ ଆଜି ରାତିରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଆଜି ସକାଳୁ ବଡ଼ଆଖଡ଼ା ମଠ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ ।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ମେଘନାଦ ପାଚେରୀରୁ ୭୫ ମିଟର ଉଚ୍ଛେଦ ହୋଇଥିବା ମଠ, ଦୋକାନ, ଲଜ୍ ଏବଂ ଘର ପାଇଁ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ବ୍ୟାପକ ଉଚ୍ଛେଦ କରିବା ପରେ ଏବେ ଥଇଥାନ ପାଇଁ ବ୍ୟବସ୍ଥା ହୋଇଛି । ଯେଉଁଥିରେ ବାସହୀନଙ୍କୁ ଘର, ଏବଂ ଦୋକାନୀଙ୍କୁ ଦୋକାନ ଯୋଗାଇ ଦିଆଯିବ । ସୁରକ୍ଷା ଜୋନ୍ରେ ଥିବା ଲଜ୍ ଗୁଡିକୁ ମଧ୍ୟ କ୍ଷତିପୂରଣ ସହାୟତା ମିଳିବ । ଉଚ୍ଛେଦ ବେଳେ କ୍ଷତିଗ୍ରସ୍ତ ହେଉଥିବା ଐତିହାସିକ ମଠର କୀର୍ତୀରାଜିର ସଂରକ୍ଷଣ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି ।