ଚାଲିଛି ଶ୍ରୀକ୍ଷେତ୍ରରେ ଜବରଦଖଲ ଉଚ୍ଛେଦ । ମେଘନାଦ ପାଚେରୀ ପରେ ଫୋକସରେ ସି-ବିଚ୍, ବେଆଇନ ନିର୍ମାଣ ଉପରେ ଚାଲିଲା ବୁଲଡୋଜର୍ ।

502

କନକ ବ୍ୟୁରୋ : ମେଘନାଦ ପାଚେରୀ ପରିସରରୁ ଉଚ୍ଛେଦ ପରେ ପୁରୀ ବେଳାଭୂମିରେ ବୁଲିଲା ବୁଲଡୋଜର । ବେଳାଭୂମିରେ ଥିବା ଲାଇଟ ହାଉସ ନିକଟରେ ଯାତ୍ରୀ ନିବାସ ଭାଂଗିବା ସହ ୧ ଏକରରୁ ଅଧିକ ଜାଗାକୁ ନିଜ ଅକ୍ତିଆରକୁ ଆଣିଛି ପୁରୀ ପ୍ରଶାସନ । ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ଏହି ଅଂଚଳରେ ଉଚ୍ଛେଦ କରାଯାଇ, ଅତ୍ୟାଧୁନିକ ପାର୍କିଂ କମ୍ପେ୍ଲକ୍ସ ନିର୍ମାଣ ହେବ । ଯେଉଁଥିପାଇଁ ବଡ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି ।

ପୁରୀରେ ଚାଲିଛି ଜବରଦଖଲ ଉଚ୍ଛେଦ । ମେଘନାଥ ପାଚେରୀ ପରେ ପୁରୀ ବେଳାଭୂମି । ବେଳାଭୂମିରେ ଥିବା ସମସ୍ତ ବେଆଇନ ନିର୍ମାଣକୁ ହଟାଇବାକୁ ପ୍ରଶାସନ ଚଳାଇଛି ବୁଲଡୋଜର । ଯେଉଁଠି ଖାଲି କୋଠା ଦିଶୁଥିଲା, ସେଠାରୁ ଏବେ ଦିଶୁଛି ଶ୍ରୀମନ୍ଦିର । ଲାଇଟ୍ ହାଉସ ନିକଟରେ ଯାତ୍ରୀକା ଯାତ୍ରୀ ନିବାସକୁ ଭାଙ୍ଗିବା ସହ ପ୍ରାୟ ଏକ ଏକର ୫୩ ଡିସିମିଲି ଅଂଚଳକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିଛି । ବେଳାଭୂମିରେ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ଏହି ସ୍ଥାନରେ ଅତ୍ୟାଧୁନିକ ପାର୍କିଂ କମ୍ପେ୍ଲକ୍ସ ନିର୍ମାଣ ହେବ ।

ପୁରୀ ଜିଲ୍ଲାପାଳଙ୍କ ଅଫିସ ସମେତ ସମସ୍ତ ସରକାରୀ ଅଫିସକୁ ଗୋଟିଏ ବିଲ୍ଡିଂରେ ରଖିବାକୁ ଯୋଜନା କରିଛନ୍ତି ସରକାର । ଏଥିପାଇଁ ପୁରୀ ସମୁଦ୍ରକୂଳ ମଙ୍ଗଳା ମୁହାଣ ନିକଟରେ ଜାଗା ଚିହ୍ନଟ ହୋଇଛି । ଆଜି ଉଚ୍ଛେଦ ସମୟରେ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ରହିଥିଲେ । ପୁରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ, ତହସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାମ ଚାଲିଥିଲା । ପୁରୀ ପାଇଁ ସ୍ୱତନ୍ତ୍ର ଭାବରେ ୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଥିବା ବେଳେ ଜବରଦଖଲ ଉଚ୍ଛେଦ କାମକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ ।