କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ବିଜେପିର ସଂସଦୀୟ ଦଳ ବୈଠକ ବସିଛି । ଏହି ସଂସଦୀୟ ଦଳ ବୈଠକରେ ଦଳୀୟ ସାଂସଦଙ୍କୁ ସମ୍ବୋଧିତ କରିବା ସହ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡିଆ ନାମ ଲଗାଇବା ଦ୍ୱାରା କିଛି ହେବ ନାହିଁ । ଏହାସହ ଇଣ୍ଡିଆ ମେଣ୍ଟର ତୁଳନା ଆତଙ୍କବାଦୀ ସଙ୍ଗଠନ ଇଣ୍ଡିଆନ ମୁଜାହିଦ୍ଦିନ, ଇଷ୍ଟ ଇଣ୍ଡିଆ ଓ ପିଏଫଆଇ ସହ କରିଛନ୍ତି ମୋଦୀ । ସଂସଦୀୟ ଦଳ ବୈଠକରେ ମୋଦୀ କହିଛନ୍ତି, ଇଷ୍ଟ ଇଣ୍ଡିଆ କମ୍ପାନୀ ବି ଇଣ୍ଡିଆ ନାଁର ବ୍ୟବହାର କରିଥିଲା । ଇଣ୍ଡିଆନ ମୁଜାହିଦ୍ଦିନ ଓ ପିଏଫଆଇ ନାଁରେ ମଧ୍ୟ ଇଣ୍ଡିଆ ରହିଛି । ସେହିଭଳି ବିଜେପିର କିଛି ସାଂସଦ କହିଛନ୍ତି ଇଣ୍ଡିଆ ନାଁର ବ୍ୟବହାର ଦ୍ୱାରା କିଛି ପ୍ରଭାବ ପଡିବନି ।

Advertisment

କେବଳ ଏତିକି ନୁହେଁ ବିଜେପି ସଂସଦୀୟ ଦଳକୁ ସମ୍ବୋଧନ କରି ମୋଦୀ କହିଛନ୍ତି ବିରୋଧୀ ଏବେ ଦିଗହରା ଓ ହତାଶ ହୋଇପଡ଼ିଛନ୍ତି । ପୂର୍ବରୁ ବିରୋଧୀ ଏପରି ଦିଗହରା ହୋଇଥିବା ସେ କେବେ ଦେଖିନାହାନ୍ତି ବୋଲି ମୋଦୀ କହିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଏପରି ଲାଗୁଛି ଯେ, ଦୀର୍ଘ ସମୟ ଧରି ବିରୋଧୀଙ୍କ ସରକାରକୁ ଆସିବାର ଇଚ୍ଛା ନାହିଁ । ଅଧିବେଶନ ଆରମ୍ଭ ପୂର୍ବରୁ ବିଜେପି ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ସଂସଦର ମୌସୁମୀ ଅଧିବେଶନରେ ମଣିପୁର ଘଟଣାକୁ ନେଇ ହୋହଲ୍ଲା ଲାଗି ରହିଛି । ଏହି ଘଟଣାରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଆସୁଛନ୍ତି । ଏହା ସହ ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ଦାବି କରୁଛନ୍ତି ବିରୋଧୀ ।