ଅସହ୍ୟ ହେଲାଣି ୨୭ ବର୍ଷର ବାସନ୍ଦ ଜୀବନ । ବାପାଙ୍କ ମୃତ୍ୟୁ ପରେ ବି ଗାଁକୁ ପଶିବାକୁ ମିଳୁନି ଅନୁମତି  । 

149

କନକ ବ୍ୟୁରୋ: ଅନ୍ଧବିଶ୍ୱାସ କେତେ ଭୟଙ୍କର ସେ କଥା ସହଜରେ ଅନୁମାନ କରି ହୁଏନି । ଯିଏ ଅଙ୍ଗେ ନିଭାଇଛି, ସେ ବି ଜାଣିଛି କେତେ କଷ୍ଟକର ସେଇ ଜୀବନ । କେମିତି ପ୍ରତିଦିନ ସମସ୍ୟା ସହ ଜୁଝି ହେବାକୁ ପଡେ । ୨୭ ବର୍ଷର ବାସନ୍ଦ ଜୀବନରେ ବାପା ଆରପାରିକୁ ଚାଲି ଗଲେଣି । ତଥାପି ଗାଁକୁ ପଶିବା ପାଇଁ ବିଧବା ମାଆ-ପୁଅଙ୍କୁ ମିଳୁନି ଅନୁମତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଳକ ପାଲପୋଡ଼ା ଗାଁରେ ।

୨୭ ବର୍ଷ ତଳେ ପାଲପଡ଼ା ଗାଁର ସୁରେନ୍ଦ୍ର ପ୍ରଧାନଙ୍କୁ ବାସନ୍ଦ କରିଥିଲେ ଗ୍ରାମବାସୀ । ଏହାରି ଭିତରେ ଆରପାରିକୁ ଚାଲିଗଲେଣି କୁଷ୍ଠ ରୋଗରେ ପୀଡିତ ସୁରେନ୍ଦ୍ର, କିନ୍ତୁ ଆଜି ବି ବାସନ୍ଦ ଜୀବନ ବିତାଉଛନ୍ତି ସ୍ତ୍ରୀ ଯଶୋଦା ଓ ପୁଅ ଅଶୋକ । ଦିନ ବେଳା ଜମିରେ ରୋଷେଇ କରି ଖାଉଛନ୍ତି ଆଉ ରାତି ହେଲେ ପାଳ କୁଡିଆରେ ମୁଣ୍ଡ ଗୁଂଜୁଛନ୍ତି ଅସହାୟ ବୁଢି ମାଆ-ପୁଅ । ସେପଟେ ବର୍ତମାନ ପାଲପଡ଼ା ଗାଁର ମୁଖିଆ ପାଲଟିଥିବା ସନାତନ ପ୍ରଧାନ ଚଂଚକତା କରି ମୃତ ସୁରେନ୍ଦ୍ରଙ୍କ ଜମି ଓ ଘରକୁ ନିଜ କବ୍ଜାରେ ରଖିଛି ।

ସନାତନ ପ୍ରଥମେ ଏମାନଙ୍କ ଜମିରେ ଭାଗ ଚାଷ କରୁଥିଲା । ୨୦୧୩ ମସିହାରେ ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ଯଶୋଦା ଓ ଅଶୋକଙ୍କୁ ପୁରୀ ଯାଇ ସୁଧି ହୋଇ ଆସିଲେ ଗାଁରେ ରହିବାକୁ ଅନୁମତି ଦିଆଯିବ ବୋଲି କହିଥିଲା । କିନ୍ତୁ ପରବର୍ତୀ ସମୟରେ ସିଏ ନିଜେ ଏମାନଙ୍କ ଘର ଓ ଜମିକୁ କବ୍ଜା କରିବା ସହ ଆଉ ଏବେ ଗାଁରେ ପୁରାଇ ଦେଉନଥିବା ଅଭିଯୋଗ ହୋଇଛି । ଯଶୋଦା ଏ ଘଟଣା ବାବଦରେ ଜଗନ୍ନାଥ ପ୍ରସାଦ ଥାନାରେ ଜଣାଇଥିଲେ ମଧ୍ୟ ତାଙ୍କୁ କିଛି ସାହାଯ୍ୟ ମିଳି ପାରିନାହିଁ ।