ଜୋସ ବଟଲରଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ଇଂଲଣ୍ଡ । 

111

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ରେ ଦମଦାର ବିଜୟ ହାସଲ କରିଛି ଇଂଲଣ୍ଡ । ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଜୋସ ବଟଲର । ଫଳରେ ଇଂଲଣ୍ଡ ଏହି ମ୍ୟାଚରେ ୮ ୱିକେଟରେ ବିଜୟୀ ହୋଇଛି । ଏହାସହ ଏହି ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମରୁ କେଏଲ ରାହୁଲଙ୍କୁ ଆଉଟ କରି ଭାରତର ଚିନ୍ତା ବଢାଇଥିଲା ଇଂଲଣ୍ଡ । ଏହି ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ୭୭, ରିଷବ ପନ୍ତ ୨୫ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ଓ ରୋହିତ ଶର୍ମା ୧୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା ।

୧୫୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ଭଲ ପ୍ରଦର୍ଶନ କରିଥିଲା । ଆରମ୍ଭରୁ ଜୋସ ବଟଲର ଚମତ୍କାର ଖେଳିଥିଲେ । ଏହି ମ୍ୟାଚରେ ବଟଲର ୮୩ ଓ ବେୟାରଷ୍ଟୋ ୪୦ ରନ କରିଥିଲେ । ଫଳରେ ଇଂଲଣ୍ଡ ୧୮ ଓଭରରେ ୨ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।