ପରଲୋକରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର : ସ୍ତବ୍ଦ ସଙ୍ଗୀତ ଦୁନିଆ, ସବୁ ମହଲରେ ଶୋକର ଛାୟା; ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

176

କନକ ବ୍ୟୁରୋ : ପରଲୋକରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ଗତକାଲି ରାତି ୧୦ ଟା ୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଯାଇଛି । ରାତି ୯ ଟା ପରେ ସେ ରାତ୍ରିଭୋଜନ କରିବା ପରେ ବିଶ୍ରାମ ନେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଅକ୍ସିଜେନ ସ୍ତର ହଠାତ୍ କମି ଯାଇଥିଲା । ଆଉ ଏହାର କିଛି ସମୟ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ମୃତ୍ୟୁ ଶଯ୍ୟାରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି । ତାଙ୍କ ପରଲୋକର ଖବର ପାଇଁ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରୁଛନ୍ତି । ୧୯୩୯ ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ କର । ପିଲାବେଳୁ ସେ ତାଙ୍କ ପିତାଙ୍କୁ ହରାଇ ମାମୁଘରେ ବଢିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ କଳା ଏବଂ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ । ମାତ୍ର ୨୧ ବର୍ଷ ଆକାଶବାଣୀରେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ । ଏହା ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ଜଣେ ଗିତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶୀଳ୍ପୀ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । ଶ୍ରୀ ପତିତପାବନ ଚଳଚିତ୍ରରେ କଣ୍ଠଶୀଳ୍ପୀ ଭାବେ ସେ ଚଳଚିତ୍ର ଜଗତରେ ପାଦ ରଖିଥିଲେ । ତାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି ।

ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ୨୦୧୫ ପ୍ରଦ୍ମଶ୍ରୀ ସମ୍ମାନ ପାଇଥିଲେ । ୨୦୦୪ରେ ସେ ଜୟଦେବ ପୁରସ୍କାର ପାଇଥିଲେ । ଏହା ସହ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର-୨୦୦୬, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ-୨୦୦୯ ପାଇଥିଲେ । ଓଡ଼ିଶା ସଙ୍ଗୀତ କ୍ଷେତ୍ରକୁ ପ୍ରଫୁଲଙ୍କର ବହୁ ଅବଦାନ ରହିଛି । ଜଣେ ସ୍ତମ୍ଭକାର ଭାବେ ପ୍ରଫୁଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ରଚିତ ସାଉଁଟା କାହାଣୀ ପୁସ୍ତକ ପ୍ରକାଶ ପାଇଥିଲା । ଏହାବାଦ ରାଜନୈତିକ ଜୀବନକୁ ନେଇ ଯାହା କହୁଛି ସତ କହୁଛି ପୁସ୍ତକ ଲେଖିଥିଲେ । ସଙ୍ଗୀତ ଜଗତରେ ସଫଳତା ପରେ ୧୯୯୫ରେ ରାଜନୀତିରେ ପାଦ ଥାପିଥିଲେ । ସେ ୧୯୯୫ ମସିହାରେ ସେ କଂଗ୍ରେସ ଟିକେଟରୁ ପୁରୀ ବିଧାନସଭା ଆସନରୁ ଲଢି ହାରିଯାଇଥିଲେ ।