୨୦୨୧ ପାଇଁ ରାଷ୍ଟ୍ରପତି ଭବନରେ ଦିଆଗଲା ପଦ୍ମ ପୁରସ୍କାର : ଖାଲି ପାଦରେ ଯାଇ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ତୁଳସୀ ଗୌଡ଼ା

ଚର୍ଚ୍ଚାରେ ସରଳ ବେଶଭୁଷାର ଫଟୋ; ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ଶୁଦର୍ଶନ ସାହୁଙ୍କୁ ପଦ୍ମ ବିଭୁଷଣ

308

କନକ ବ୍ୟୁରୋ : ରାଷ୍ଟ୍ରପତି ଭବନରେ ୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ୧୧୯ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି । ୭ ଜଣଙ୍କ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ର ମହାଜନଙ୍କୁ ପଦ୍ମ ଭୂଷଣ, ରାମ ବିଳାସ ପାସୱାନଙ୍କୁ ମରଣୋତର ଭାବେ ପଦ୍ମ ଭୂଷଣ ସମ୍ମାନ ମିଳିଛି । ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କୁ ମରୋଣତର ଭାବେ ପଦ୍ମଭୁଷଣ ସମ୍ମାନ ମିଳିଛି ।

ପଦ୍ମଶ୍ରୀ ପୁରସ୍କାର ପାଇଥିବା ପରିବେଶବିତ୍ ତୁଳସୀ ଗୌଡ଼ା ଏବେ ଚର୍ଚ୍ଚାରେ ରହିଛନ୍ତି । ରାଷ୍ଟ୍ରପତିଙ୍କ ନିକଟକୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଯିବା ବେଳେ ଖାଲି ପାଦରେ ଯାଇଥିଲେ ତୁଳସୀ ଗୌଡ଼ା । ତାଙ୍କର ସରଳ ବେଶଭୁସା ଓ ଖାଲି ପାଦରେ ଯାଇ ପଦ୍ମ ପୁରସ୍କାର ଗ୍ରହଣ କରିବା ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । କର୍ଣ୍ଣାଟକର ୭୨ ବର୍ଷିୟ ଆଦିବାସୀ ମହିଳା ହେଉଛନ୍ତି ତୁଳସୀ ଗୌଡ଼ା । ପରିବେଶ ସୁରକ୍ଷାରେ ତାଙ୍କର ଯୋଗଦାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି । ବିନା ଶିକ୍ଷାଗତ ଯୋଗ୍ୟତାରେ ଗରିବ ପରିବାରର ତୁଳସୀ ଗୌଡ଼ା ଜଙ୍ଗଲର ଏନସାଇକ୍ଲୋପିଡ଼ିଆ ନାଁରେ ପରିଚିତ । ଜଙ୍ଗଲଜାତ ଜିନିଷ ଉପରେ ତାଙ୍କର ପ୍ରଗାଢ ଜ୍ଞାନ ଥିବାରୁ ସେ ଏହି ନାଁରେ ପରିଚିତ । ଏବେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ନେବା ବେଳେ ଖାଲି ପାଦରେ ଯାଇ ଚର୍ଚ୍ଚା ରହିଛନ୍ତି ।

ତେବେ, ସୋମବାର ଦିନ ୮ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କ ଝିଆରୀ ଡଃ ସଂଘମିତ୍ରା ଦାସ ଏହାକୁ ଗ୍ରହଣ କରିଥିଲେ । ଜୈବିକ କୃଷି ପାଇଁ ସ୍ବର୍ଗତ ପ୍ରଫେସର ରାଧାମୋହନ ଓ ସାବରମତୀଙ୍କୁ ଯୁଗ୍ମ ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଦିବଙ୍ଗତ ପ୍ରଫେସର ରାଧାମୋହନଙ୍କ ପତ୍ନୀ ବିଜୟଲକ୍ଷ୍ମୀ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସ୍ବର୍ଗତ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ପୁଅ ଆଶୁତୋଷ ମହାପାତ୍ର ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ।

ରଙ୍ଗବତୀ ଗୀତର ରଚୟିତା ତଥା ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଚୌଦ୍ବାରର ବିଖ୍ୟାତ ଘୋଡ଼ାନାଚ ଶିଳ୍ପୀ ଡଃ ଉଦ୍ଧବ ଚରଣ ଦାସ, ଲେଖିକା ଦମୟନ୍ତୀ ବେଶ୍ରାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ମତ୍ସ ଓ ପଶୁସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ବଟକୃଷ୍ଣ ସାହୁ ଓ ମେଡିସନ କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ପାଇଁ ଓଡ଼ିଶା ବାହାରେ ରହୁଥିବା ଡ. ଦିଗାମ୍ବର ବେହେରାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ସି. ଜମୀରଙ୍କୁ ମଧ୍ୟ ଆଜି ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲ।