ବିଶ୍ୱରେ ଅନେକ କମ୍ପାନୀରେ ମାନ୍ଦାବସ୍ଥା ପାଇଁ ଛଟେଇ : ମାନସିକ ଅବସାଦରେ କର୍ମଚାରୀ

244

କନକ ବ୍ୟୁରୋ : ବିଶ୍ୱରେ ଅନେକ କମ୍ପାନୀରେ ମାନ୍ଦାବସ୍ଥା ପାଇଁ ଛଟେଇ କରୁଛନ୍ତି । ଏହାର ପ୍ରଭାବ କେବଳ ଚାକିରି ହରାଇଥିବା ବ୍ୟକ୍ତି ନୁହେଁ ବରଂ ଚାକିରିରେ ଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ପଡିଛି । ଚାକିରି ହରାଇବାର ଭୟ ଏବଂ ମାକ୍ରୋ-ଅର୍ଥନୈତିକ ଅସ୍ଥିରତା, ଚାକିରି ଚିନ୍ତା, ଏବଂ ଆର୍ଥିକ ଅନିଶ୍ଚିତତା ରହିଛି । ଯେଉଁମାନେ ଚାକିରିରେ ଅଛନ୍ତି ସେମାନଙ୍କ ମଧ୍ୟରୁ ୧୦ରୁ ୬ କର୍ମଜୀବୀ ବିଷାଦରେ ରହୁଛନ୍ତି । ଅର୍ଥାତ ଏମାନଙ୍କୁ ଚାକିରି ଯିବାର ଭୟ ରହିଛି । ଯାହା ଗତ ୬-୮ ମାସ ମଧ୍ୟରେ ସୃଷ୍ଟି ହୋଇଛି ।

ମୁଖ୍ୟତଃ ଆଇଟି, ଟେକ ଷ୍ଟାର୍ଟଅପ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି । ଚାକିରି ହରାଇବାକୁ ଭୟ ସମସ୍ତଙ୍କ ମନରେ ରହିଛି ବୋଲି ହ୍ୟାପିପ୍ଲସ୍ କନସଲ୍ଟିଂର ପ୍ରତିଷ୍ଠାତା ତଥା ସିଇଓ ଆଶିଷ ଅମ୍ବାଷ୍ଟା କହିଛନ୍ତି । ତାଙ୍କ କମ୍ପାନୀକୁ ପରାମର୍ଶ ନେବାକୁ ଆସୁଥିବା ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଏହି ଅନିଶ୍ଚିତତା ଭୟ ରହିଛି ବୋଲି ସେ କହିଛନ୍ତି । ବିଶେଷ କରି ସେମାନଙ୍କ ଚାକିରିକୁ ନେଇ ଅନିଶ୍ଚିତତା ଘେରରେ ରହିଛନ୍ତି । ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବିଷାଦର ଲକ୍ଷଣ ଥିଲେ ତୁରନ୍ତ କାଉନସେଲରଙ୍କ ସହାୟତା ନେବା ଉଚିତ । ପରିବାର ସଦସ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ହାବଭାବ ଏବଂ ଚାଲିଚଳଣ ଉପରେ ନଜର ରଖିବା ଦରକାର । ସଂପୃକ୍ତ ବ୍ୟକ୍ତିଙ୍କ ସହିତ ସମୟ ଅତିବାହିତ କରିବା ଦରକାର ।