ଭକ୍ତ ଦେଖିପାରିଲାନି ବେଶ, ବଡ଼ ଦାଣ୍ଡରେ ଗଡ଼ାଇଲା ଲୁହ । ୨୬ ବର୍ଷରେ ପରେ ହୋଇଥିବା ଦୁର୍ଲଭ ନାଗାର୍ଜୁନ ବେଶକୁ ନେଇ ଶ୍ରୀକ୍ଷେତ୍ରରେ ଭାବବିହ୍ୱଳ ପରିବେଶ

104

କନକ ବ୍ୟୁରୋ : ବିନାଭକ୍ତରେ ଦୀର୍ଘ ୨୫ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ନିର୍ଦ୍ଧାରିତ ନୀତି ଠାରୁ ପ୍ରାୟ ୩ଘଂଟା ବିଲମ୍ବରେ ସରିଥିଲା ବେଶ । ସମସ୍ତ ସେବାୟତ ମହାପ୍ରଭୁଙ୍କ ଏହି ବେଶ ଦେଖିବାର ସୁଯୋଗ ପାଇଥିଲେ । ନାଗାର୍ଜୁନ ବେଶ ପାଇଁ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୧୪୪ଧାରା ଜାରି କରାଯାଇଥିଲା । ପୁରୀର କିଛି ସ୍ଥାନୀୟ ଭକ୍ତ ବାରିକେଡ ବାହାରୁ କେବଳ ପତିତପାବନଙ୍କୁ ଦର୍ଶନ କରିଥିଲେ ।

ଘଣ୍ଟ, ଘଣ୍ଟା, ଛତ୍ରୀ, କାହାଳୀ ଆଉ ଜୟ ଜଗନ୍ନାଥ ଧ୍ୱନୀ । ପୁରୀ ବଡଦାଣ୍ଡରେ ଏପରି ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ହରଚଣ୍ଡୀ ସାହି ସ୍ଥିତ ଚକ୍ରକୋଟ ଯାଗାରେ ନାଗାର୍ଜୁନ ବେଶ ପୂଜାର୍ଚ୍ଚନା କରାଯାଇ କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଅଣାଯାଇଥିଲା । ରାତି ପ୍ରାୟ ୨ଟା୪୫ ମିନିଟରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ୪.୧୦ ମିନିଟରେ ଶ୍ରୀମନ୍ଦିରକୁ ଆସିଥିଲା ବେଶ । ତେବେ ସୁନାଗହଣା ଗଣତିକୁ ନେଇ ଭଣ୍ଡାର ମେକାପ, ଖୁଂଟିଆ ଏବଂ ସିହାରୀ ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ୩ଘଂଟା ବିଳମ୍ବରେ ସକାଳ ୮ଟାରେ ମହାପ୍ରଭୁଙ୍କ ବେଶ ଆରମ୍ଭ ହୋଇ ୧୦.୧୫ମିନିଟରେ ଶେଷ ହୋଇଥିଲା ।

ଶ୍ରୀ କ୍ଷେତ୍ରରେ ସାହିଯାତର ପରମ୍ପରା ସହିତ ନାଗାର୍ଜୁନ ବେଶର ରହିଛି ସମ୍ପର୍କ । ପୌରାଣିକ ମତ ଅନୁସାରେ ଅର୍ଜୁନ ଓ ତାଙ୍କ ପୁଅ ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୁପ ଏହି ବେଶ ଅନୁଷ୍ଠିତ ହୋଇଥାଏ ।

ଦୀର୍ଘ ୨୫ବର୍ଷ ପରେ ଏହି ଦୁର୍ଲଭ ନାଗାର୍ଜୁନ ବେଶ ହୋଇଥିଲେ ହେଁ କରୋନା କଟକଣା କାରଣରୁ ଦର୍ଶନରୁ ବଂଚିତ ଭକ୍ତ ଭାବବିହ୍ୱଳ ହୋଇଉଠିଥିଲେ । ମରିଚକୋଟ ଛକରୁ ବ୍ୟାରିକେଡ ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଜାରି କରାଯାଇଥିଲା ୧୪୪ଧାରା । ବେଶ ଓଲାଗି ପରେ ସ୍ୱାଭାବିକ ହୋଇଥିଲା ପତିତପାବନଙ୍କ ଦର୍ଶନ ।

ବେଶ ପରେ ହୋଇଥିଲା ଗୋପାଳ ବଲ୍ଲଭ ଓ ସକାଳଧୂପ ନୀତି । ଜଗନ୍ନାଥ ବଲ୍ଲଭ ମଠରେ ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିଲା । ଅପରାହ୍ନରେ ବେଶ ଓଲାଗି ହୋଇଛି । ବଡ କଥା ହେଲା ଏହି ବେଶକୁ ଭକ୍ତଙ୍କ ଦେଖିବା ଲାଗି ସଂରକ୍ଷଣ କରି ରଖାଯିବ ।

Comments are closed.