କରୋନାକୁ ହରାଇଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର : ୯୩ ବର୍ଷ ବୟସରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଲେ

119

କନକ ବ୍ୟୁରୋ : କରୋନାକୁ ହରାଇଲେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର । ୯୩ ବର୍ଷ ବୟସରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାର୍ଦ୍ଧକ୍ୟଜନିତ, ମଧୁମେହ ଭଳି ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ଶ୍ରୀ ମହାପାତ୍ରଙ୍କ ଚିକିତ୍ସା ଏସସିବି ଡ଼ାକ୍ତରୀ ଟିମଙ୍କ ପାଇଁ ଚ୍ୟାଲେଂଜ ଥିଲା । ଦୀର୍ଘ ୧୬ଦିନର ସଫଳ ଚିକିତ୍ସା ପରେ ଏବେ ସେ ସୁସ୍ଥ ବୋଲି କହିଛନ୍ତି ତାଙ୍କ ଚିକିତ୍ସା ପାଇଁ ଗଠନ ହୋଇଥିବା ବିଶେଷଜ୍ଞ କମିଟିର ଆବାହକ ପ୍ରଫେସର ଡ଼ାକ୍ତର ଜୟନ୍ତ ପଣ୍ଡା ।

ଗତ ମାସ ୩୧ ତାରିଖ ଦିନ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଏସସିବି କୋଭିଡ଼ ହସ୍ପିଟାଲର ନ୍ୟୁ ମେଡ଼ିସିନ୍ ବିଭାଗର ଆଉସିୟୁରେ ତାଙ୍କୁ ଭର୍ତି କରାଯାଇଥିଲା । ପ୍ରଥମରୁ ତାଙ୍କୁ ଅଧିକ ଅକ୍ସିଜେନ୍ ଦରକାର ହେଉଥିବା ବେଳେ ଧୀରେ ଧୀରେ ଅକ୍ସିଜେନ୍ ସ୍ତର ନିୟନ୍ତ୍ରଣକୁ ଆସିଥିଲା । ଏପରିକି ଗତ ୪୮ଘଂଟା ଭିତରେ ତାଙ୍କୁ ଅକ୍ସିଜେନର କୌଣସି ଆବଶ୍ୟକତା ପଡ଼ୁନଥିବା ଏସସିବି ପକ୍ଷରୁ କୁହାଯାଇଛି । ତାଙ୍କର ବାର୍ଦ୍ଧକ୍ୟଜନିତ ରୋଗ ଥିଲା, ମଧୁମେହ, କରୋନା ଆକ୍ରାନ୍ତ ହେବା ପରେ ନିମୋନିଆରେ ମଧ୍ୟ ସଂକ୍ରମିତ ହୋଇଥିଲେ ।