ନୂଆ ନିୟମ ଆଣିଲେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ। ସପ୍ତାହକୁ ୭ଦିନ ସହ ୧୨ ଘଣ୍ଟା କାମ କରିବାକୁ ନିଦ୍ଧିଷ୍ଟ କର୍ମଚାରୀଙ୍କୁ ନିର୍ଦ୍ଦେଶ।

204

କନକ ବ୍ୟୁରୋ: ନୂଆ ମାଲିକଙ୍କ ନୂଆ ନିୟମ । ବ୍ଲୁ ଟିକ୍ ୟୁଜରଙ୍କୁ ଏଣିକି ମାସକୁ ଦେବେ ୬୬୦ ଟଙ୍କା । କିଛି ଦିନ ତଳେ ଟ୍ୱିଟର କିଣିଥିବା ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ଏଲନ୍ ମସ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବଡ଼ ବଡ଼ ପରିବର୍ତନ କରିବା ଆରମ୍ଭ କରିଛନ୍ତି । ନୂଆ ନିୟମ ଆଧାରରେ ବ୍ଲୁ ଟିକ୍ ୟୁଜର୍ସଙ୍କୁ ଏଣିକି ପ୍ରାପ୍ୟ ଦେବାକୁ ପଡ଼ିବ ବୋଲି ମସ୍କ ଘୋଷଣା କରିଛନ୍ତି । ଟ୍ୱିଟରରେ ଭେରିଫାଏଡ୍ ଆକାଉଣ୍ଟ ବା ବ୍ଲୁ-ଟିକ୍ ପାଇଁ ୟୁଜରଙ୍କୁ ସବସ୍କ୍ରିପସନ୍ ଚାର୍ଜ ବାବଦକୁ ପ୍ରଥମେ ମାସକୁ ୨୦ ଡଲାର ଦେବା ପାଇଁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ୟୁଜର ବିରୋଧ କରି ଏହାକୁ ମହଙ୍ଗା ବୋଲି କହିଥିଲେ । ଯାହା ପରେ କମ୍ପାନୀର ନୂଆ ମାଲିକ ମସ୍କ ମାସିକ ଚାର୍ଜକୁ ୮ ଡଲାର ଅର୍ଥାତ୍ ପାଖାପାଖି ୬୬୦ ଟଙ୍କା କରିବାକୁ ନିଷ୍ପତି ନେଇଛନ୍ତି ।

ଟ୍ୱିଟରରେ ହୋଇଥିବା ବଡ଼ ବଡ଼ ପରିବର୍ତନ ଦ୍ୱାରା ଟ୍ୱିଟରର ମ୍ୟାନେଜରଙ୍କ ଉପରେ ଅତ୍ୟଧିକ ଚାପ ପଡ଼ିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କିଛି ଟ୍ୱିଟର ଇଞ୍ଜିନିୟରଙ୍କୁ ଦିନକୁ ୧୨ ଘଣ୍ଟା ଏବଂ ସପ୍ତାହକୁ ୭ ଦିନ କାମ କରିବାକୁ କୁହାଯାଇଛି । ଟ୍ୱିଟର ମ୍ୟାନେଜରମାନେ କର୍ମଚାରୀଙ୍କୁ କହିଛନ୍ତି ଯେ ଏଲନ୍ ମସ୍କଙ୍କ ନୂଆ ନିଷ୍ପତିକୁ ଠିକ୍ ସମୟରେ ଶେଷ କରିବା ପାଇଁ ସେମାନଙ୍କୁ ଅଧିକ ଘଣ୍ଟା କାମ କରିବାକୁ ପଡ଼ିବ । ଯଦି ନିର୍ଦ୍ଧାରିତ ସମୟରେ କାମ ପୂରଣ ନହୁଏ, ତେବେ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି ।

ନିକଟରେ କମ୍ପାନୀ ଦୁଇଟି ନୂଆ ଫିଚର କାର୍ଯ୍ୟକାରୀ କରିଛି । ଯାହାଦ୍ୱାରା ୫୪ ହଜାର ଭାରତୀୟ ଆକାଉଣ୍ଟ ବ୍ୟାନ୍ ହୋଇଥିବା ଜଣାପଡ଼ିଛି । କମ୍ପାନୀ ତା’ର ମାସିକ ରିପୋର୍ଟରେ ଏହି ସୂଚନା ଦେଇଛି । ଏହି ଆକାଉଣ୍ଟକୁ ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ବ୍ୟାନ୍ କରାଯାଇଥିବା ସୂଚନା ମିଳିଛି । ଏହି ଆକାଉଣ୍ଟରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ, ଅଶ୍ଳୀଳତା ଏବଂ ଆନୁସଙ୍ଗିକ ବିଷୟବସ୍ତୁ ପ୍ରଚାର ପ୍ରଚାର କରାଯାଉଥିଲା । ସେଥିମଧ୍ୟରୁ ୧୯୮୨ ଆକାଉଣ୍ଟକୁ ଆତଙ୍କବାଦୀ ସମ୍ପର୍କିତ ତଥ୍ୟ ପ୍ରସାର ପାଇଁ ନିଷିଦ୍ଧ କରାଯାଇଛି । ନୂଆ ଆଇଟି ନିୟମ, ୨୦୨୧ ଅନୁସାରେ, ୫ ନିୟୁତର ଅଧିକ ୟୁଜର ଥିବା ଭାରତର ପ୍ରମୁଖ ଡିଜିଟାଲ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ମାସିକ ଅନୁପାଳନ ରିପୋର୍ଟ ପ୍ରକାଶ କରିବାକୁ ପଡ଼ିଥାଏ ।

ନୂଆ ନିୟମ କାର୍ଯ୍ୟକାରୀ ପରେ କର୍ମଚାରୀଙ୍କ ଉପରେ ଅତ୍ୟଧିକ ଚାପ ପଡ଼ିଛି । ଏମିତିକି କିଛି କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି । ମୋଟାମୋଟି କହିବାକୁ ଗଲେ, ଏଲନ୍ ମସ୍କ ଟ୍ୱିଟରର ନୂଆ ମାଲିକ ହେବା ପରେ କର୍ମଚାରୀ ଓ କମ୍ପାନୀ ପାଇଁ କେତେ ହିତକର ହେଉଛି ସେକଥା ଆଗକୁ ଜଣାପଡିବ ।