ଭାରତରେ ବନ୍ଦ ହେଲା ଟ୍ୱିଟରର ୨ଟି କାର୍ଯ୍ୟାଳୟ । ଚିନ୍ତାରେ କର୍ମଚାରୀ

115

କନକ ବ୍ୟୁରୋ : ଯେବେଠାରୁ ଟ୍ୱିଟରକୁ ଏଲନ ମସ୍କ କିଣିଲେଣି, ସେବେଠୁ ଟ୍ୱିଟରରେ ଅନେକ ପରିବର୍ତ୍ତନ ଘଟିଲାଣି । ଏବେ ପୁମି ଏଲନ୍ ମସ୍କ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି କର୍ମଚାରୀ । ଭାରତରେ ଥିବା ଟ୍ୱିଟରର ତିନୋଟି କାର୍ଯ୍ୟାଳୟ ମଧ୍ୟରୁ ୨ଟି କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଏହି ଦୁଇଟି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ କୁହାଯାଇଛି ।

ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ, ଭାରତରେ ଆଉ ମାତ୍ର ଗୋଟିଏ କାର୍ଯ୍ୟାଳୟ ରହିଛି । ବେଙ୍ଗାଲୁରୁରେ ଥିବା ଏକମାତ୍ର ଅଫିସରେ ଅଧିକାଂଶ ଇଞ୍ଜିନିୟର କାମ କରୁଛନ୍ତି । ଏହି କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କର୍ମଚାରୀ ନିଜର ପରିଚୟ ଗୁପ୍ତ ରଖି କହିଛନ୍ତି, ୨୦୨୩ ଶେଷ ସୁଦ୍ଧା ଟ୍ୱିଟରକୁ ଆର୍ଥିକ ଦୃଷ୍ଟିରୁ ସ୍ଥିର କରିବା ପାଇଁ ଦେଶ ବିଦେଶରେ ଥିବା ଅନେକ କର୍ମଚାରୀ ଏବଂ କାର୍ଯ୍ୟାଳୟକୁ ବନ୍ଦ କରିଦେଇ ପାରନ୍ତି ।

ଭାରତରେ ଟ୍ୱିଟରର ବ୍ୟବହାର ବହୁତ ଅଧିକ ରହିଛି । ଭରତରେ ଟ୍ୱିଟରେ ରାଜନୈତିକ ଆଲୋଚନା ଜୋରସୋରରେ ଚିଲିଥାଏ । ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ୮୬.୫ ମିଲିୟନ୍ ପ୍ରଶଂସକ ରହିଛନ୍ତି । ଏହିସବୁ ଭିତରେ ଭାରତରେ ଥିବା ଦୁଇଟି ଟ୍ୱିଟର୍ କାର୍ଯ୍ୟାଳୟକୁ ବନ୍ଦ କରିବା ନିଷ୍ପତ୍ତି ଏଲନ ମସ୍କଙ୍କୁ କ୍ଷତିରେ ପକାଇପାରେ ବୋଲି କୁହାଯାଉଛି ।