କନକ ବ୍ୟୁରୋ : ଯେବେଠାରୁ ଏଲନ ମସ୍କ ଟ୍ୱିଟରର ମାଲିକ ହେଲେଣି ସେବେଠାରୁ କର୍ମଚାରୀ ଓ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଟ୍ୱିଟରର ଦାୟିତ୍ୱ ନେବା ପରେ ଏପର୍ଯ୍ୟନ୍ତ ଏଲନ ମସ୍କ ଟ୍ୱିଟରରୁ ୭୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିସାରିଛନ୍ତି । ଏହାସହ ଏବେ ଖବର ଆସିଛି କି କର୍ମଚାରୀଙ୍କ ବୋନଓ ଟଙ୍କା ମଧ୍ୟ ମସ୍କ ଆତ୍ମସାତ କରିଛନ୍ତି । ଟ୍ୱିଟର କର୍ମଚାରୀଙ୍କ ପାଇଁ ଏକ ପରଫରର୍ମାନ୍ସ ବୋନସ ପ୍ଲାନ ରହିଛି । ବର୍ଷକୁ ଥରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଆଧାରରେ ଏହି ବୋନସ ମିଳିଥାଏ । ହେଲେ ଏବେ କମ୍ପାନୀ କର୍ମଚାରୀଙ୍କୁ ବୋନସ ଦେବାକୁ ମନା କରିଦେଇଛି    । କମ୍ପାନୀର ଏଭଳି ପ୍ରତିଶ୍ରୁତି ଖିଲାପ ବିରୋଧରେ କିଛି କର୍ମଚାରୀ କୋର୍ଟର ଆଶ୍ରୟ ନେଇଛନ୍ତି ।

Advertisment

ଆମେରିକାର ସେନ ଫାନସିସ୍କୋ ଫେଡରାଲ କୋର୍ଟରେ ଦାଖଲ ହୋଇଥିବା ମାମଲା ମୁତାବକ ଗତବର୍ଷ ଅକ୍ଟୋବର ମାସରେ ଏଲନ ମସ୍କ ଟ୍ୱିଟରର ଦାୟିତ୍ୱ ନେବା ପୂର୍ବରୁ କମ୍ପାନୀର ପୂର୍ବ ମୁଖ୍ୟ ଫାଇନାନସିଆଲ ଅଫିସର ନେଡ ସେଗଲ ସହିତ କମ୍ପାନୀର ପରିଚାଳନା ମୁଖ୍ୟ କର୍ମଚାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି କର୍ମଚାରୀଙ୍କ ବୋନସ ମିଳିବ । କର୍ମଚାରୀଙ୍କ କହିବା କଥା ଚଳିତ ବର୍ଷ ପ୍ରଥମ ତୈମାସିକ ଟାର୍ଗେଟ ପୂରଣ କରିବା ପରେ ମଧ୍ୟ କମ୍ପାନୀ ବୋନସ ଦେବାକୁ ମନା କରିଛି ।

କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ମୁତାବକ ସୋସିଆଲ ମିଡିଆ କମ୍ପାନୀ ନିଜର ବୋନସ ପ୍ଲାନ ପାଇଁ ଏକ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି । ଏହା କର୍ମଚାରୀଙ୍କ ବାର୍ଷିକ ପ୍ରଦର୍ଶନ ଆଧାରରେ ପ୍ରଦାନ କରାଯିବା କଥା । ହେଲେ ଏବେ କର୍ମଚାରୀମାନେ ସେମାନଙ୍କ ପ୍ରଦର୍ଶନ ଆଧାରରେ ବୋନସ ମାଗୁଥିବା ବେଳେ ଏଲନ ମସ୍କ ବୋନସ ଦେବାକୁ ମନା କରିଦେଇଛନ୍ତି । ଏନେଇ କିଛି କର୍ମଚାରୀ ଚାକିରିରୁ ଇସ୍ତଫା ଦେଇ ଆଇନଗତ ଲଢେଇ ଲଢିବାକୁ କୋର୍ଟରେ ପହଂଚିଛନ୍ତି ।