ରାୟରଙ୍ଗପୁରରେ ହାତୀ ଉତ୍ପାତ! ଘଉଡାଇ ଘଉଡାଇ ନୟାନ୍ତ ହେଲେଣି ବନବିଭାଗ, ଦୁଇଟି ଗାଁର ୧୦ଟି ଘର ଭାଙ୍ଗିଲେ ହାତୀପଲ

63

କନକ ବ୍ୟୁରୋ: ରାଇରଙ୍ଗପୁରରେ ହାତୀ ଆତଙ୍କ । ବିଜାତଳା ବ୍ଲକର କାଦୁଆଣି ଓ ଖେଜୁରୀ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ଏହି ଦୁଇଟି ଗାଁରେ ପଶି ଜଙ୍ଗଲୀ ହାତୀପଲ ୧୦ଟି ଘର ଭାଙ୍ଗିଦେଇଛନ୍ତି । ଏହା ସହ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ଘର ଭାଙ୍ଗି ଚାଉଳ ଖାଇ ଯାଇଛନ୍ତି ହାତୀପଲ । ଫଳରେ କାଦୁଆଣି ଓ ଖେଜୁରୀ ଗାଁରେ ଆତଙ୍କ ଖେଳିଯାଇଛି । ହାତୀପଲକୁ ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ବିଜାତଳା ବ୍ଲକ୍ ଅନ୍ତର୍ଗତ ଖେଜୁରି ଓ କାଦୁଆଣି ଗ୍ରାମରେ ୨୨ ସରିକି ହାତୀ ପଶି ଉତ୍ପାତ କରିଛନ୍ତି । ହାତୀମାନେ ଖେଜୁରି ଗାଁ’ରେ ୩ ଜଣଙ୍କ ଘର ଏବଂ ପ୍ରାଇମେରି ସ୍କୁଲ୍ ଘର ଭାଙ୍ଗିଛନ୍ତି। କାଦୁଆଣି ଗ୍ରାମରେ ପଶି ଉକ୍ତ ହାତୀମାନେ ୯ ଜଣଙ୍କର ଘର ଭାଙ୍ଗିଛନ୍ତି । ଧାନ ଚାଉଳ ଆଦି ଖାଇବାକୁ ହାତୀମାନେ ଘର ଭାଙ୍ଗୁଥିବା ଜଣାପଡ଼ିଛି । ଖଜୁରିଆ ପ୍ରାଇମେରି ସ୍କୁଲ୍ ଘର ଭାଙ୍ଗି ହାତୀ ମଧ୍ୟାହ୍ନ ଭୋଜନ ନିମନ୍ତେ ଗଚ୍ଛିତ ଥିବା ଚାଉଳ ଖାଇ ଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ରାଇରଙ୍ଗପୁର ବନ ବିଭାଗ ଅଧିକାରୀମାନେ ଆସି କ୍ଷତିଗ୍ରସ୍ତ ଗାଁ’ରେ ପହଞ୍ଚିଛନ୍ତି । ହାତୀ ଉତ୍ପାତ ପୀଡ଼ିତମାନଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।