ଜଙ୍ଗଲ ଜଗୁଛି ହାତୀ ! ଡବରିଗଡ଼ ଅଭୟାରଣ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ପାଇଁ ଆତଙ୍କ ପାଲଟିଛି ‘ଖର୍ସେଲ’

34

କନକ ବ୍ୟୁରୋ : ଅଭୟାରଣ୍ୟକୁ ସୁରକ୍ଷା ଦେଉଛି ହାତୀ । ଦିନେ ମଣିଷମରା ତାଲିକାରେ ଥିବା ହାତୀ ଏବେ ଗଛ ସୁରକ୍ଷାରେ ନିୟୋଜିତ ହୋଇଛି । ଦିନେ ଯେ, ଜଙ୍ଗଲର ଗଛକୁ ନିଜ ଶୁଣ୍ଢରେ ଭାଙ୍ଗି ଦେଉଥିଲା ଆଜି ସେ ଗଛର ସୁରକ୍ଷାକବଚ ସାଜି ଛିଡ଼ା ହୋଇଛି । ଆଉ ଏହାସହ ଜଙ୍ଗଲରେ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି ହାତୀ ଖର୍ସେଲ ।

ଜଙ୍ଗଲ ଜଗୁଛି ହାତୀ । ବନ କର୍ମଚାରୀଙ୍କ ସହ ମିଶି କାଠ ମାଫିଆଙ୍କ ନିଦ ହଜାଇ ଦେଇଛି ବଲାଙ୍ଗିର ଖର୍ସେଲ ଜଙ୍ଗଲରୁ ଧରା ହୋଇଥିବା ହାତୀ ଖର୍ସେଲ । ସମ୍ବଲପୁର ଡବରିଗଡ ଅଭୟାରଣ୍ୟକୁ ସୁରକ୍ଷା ଦେଉଛି ଦୁର୍ଦ୍ଧାନ୍ତ ହାତୀ ଖର୍ସେଲ । ପ୍ରତ୍ୟେକ ଦିନ ବନ କର୍ମଚାରୀ ଓ ମାହୁନ୍ତ ସହ ଜଙ୍ଗଲକୁ ବାହାରି ଯାଏ ଖର୍ସେଲ । କାଠ ମାଫିଆଙ୍କୁ ଦେଖିଲେ କ୍ଷଣି ମାଡି ଯାଉଥିବା ବେଳେ ସିଜ୍ କାଠକୁ ଫରେଷ୍ଟ ଅଫିସକୁ ବୋହି ଆଣୁଛି । ଡେବରିଗଡ ଅଭୟାରଣ୍ୟଟି ହୀରାକୁଦ ଡ୍ୟାମକୁ ଲାଗି ରହିଥିବା ବେଳେ ଏଠାରେ ଜଙ୍ଗଲି ଜନ୍ତୁ ରହିଥାନ୍ତି । ସେମାନଙ୍କୁ ମଧ୍ୟ ଶିକାରୀଙ୍କ କବଳରୁ ସୁରକ୍ଷା ଯୋଗାଉଛି ସର୍ଖେଲ ।

ଖର୍ସେଲ ହାତୀ ଯୋଗୁଁ ଜଙ୍ଗଲ ସୁରକ୍ଷା ହୋଇପାରୁଥିବା ବେଳେ ଆଜି ଦୁର୍ଦ୍ଦାନ୍ତ ହାତୀ ଆଖ୍ୟାରୁ ଶାନ୍ତ ସ୍ୱଭାବ ପାଲଟିସାରିଛି । ଯଦିଓ ବେଳେବେଳେ ମହନ୍ତକୁ ଡାଳ କିମ୍ବା ପଥର ମାରୁଛି ତଥାପି ଜଙ୍ଗଲ ସୁରକ୍ଷାରେ ଏକ ବଡ ଭୂମିକା ଗ୍ରହଣ କରିଛି । ହାତୀ ଖର୍ସେଲକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ଅଭୟାରଣ୍ୟରେ ଲୋକଙ୍କ ଗହଳି ଲାଗୁଛି ।