ଆଖି ବୁଜିଲା କୁମକୀ ହାତୀ ନନ୍ଦ । ଜ୍ୱରରେ ପୀଡିତ ଥିଲା ପୋଷା ଦନ୍ତା । ଚିକିତ୍ସା ପରେ ବଞ୍ଚାଇବାରେ ବିଫଳ ବିଶେଷଜ୍ଞ

99

କନକ ବ୍ୟୁରୋ: ଆଖି ବୁଜିଲା କୁମକୀ ହାତୀ ନନ୍ଦ । ଜ୍ୱରରେ ପୀଡିତ ଥିଲା ନନ୍ଦ । ଗତକାଲି ସକାଳେ ଅସୁସ୍ଥ ହୋଇପଡିଥିଲା ଥିଲା ନନ୍ଦ । ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଚିକିତ୍ସକଙ୍କ ସହାୟତା ଲୋଡା ଯାଇଥିଲା । ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚିକିତ୍ସକ ଚନ୍ଦକାକୁ ଯାଇ ନନ୍ଦର ସ୍ୱାସ୍ଥ୍ୟ ନୀରିକ୍ଷଣ କରି ଚିକିତ୍ସା କରିଥିଲେ । ନନ୍ଦକୁ ସାଲାଇନ୍ ଓ ଇଞ୍ଜେକସନ ଦିଆଯାଇଥିଲା । ହେଲେ, ତାର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା, ଶେଷରେ ଆଖି ବୁଜିଛି । ଗତ କିଛି ଦିନ ତଳେ ନନ୍ଦ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା ଏବଂ ମୃତ୍ୟୁ ପଛରେ ଏହା ଏକ କାରଣ ହୋଇପାରେ ବୋଲି ଅଭିଯୋଗ ହୋଇଛି ।

କୁମକି ହାତୀ ‘ନନ୍ଦ’କୁ ସମସ୍ତେ ଭୟ କରୁଥିଲେ । କାରଣ ସେ ମାହୁନ୍ତ କିମ୍ବା ଅନ୍ୟ କର୍ମଚାରୀଙ୍କ ବୋଲ ମାନୁନଥିଲା । କିନ୍ତୁ ଆଜି ଅସହାୟ ପରି ଆଖିବୁଜି ପଡିରହିଛି । ଜ୍ୱର ଆସିବା ପରେ ହଠାତ୍ ଅଧିକରୁ ଅଧିକ ଅସୁସ୍ଥ ହେଲା ଆଉ ୨୪ ଘଣ୍ଟା ଭିତରେ ଆଖିବୁଜିଦେଲା ।

  • ‘ନନ୍ଦ’ ମୃତ୍ୟୁର କାରଣ କଣ?
  • ବାରମ୍ବାର ଟ୍ରାଙ୍କୁଲାଇଜ ପାଇଁ ମରିଗଲା କି ‘ନନ୍ଦ’?

କୁହାଯାଉଛି, ନନ୍ଦ ମଝିରେ ମଝିରେ ଉତ୍ତେଜିତ ହେଉଥିଲା ଏହାକୁ ନିୟନ୍ତ୍ରଣ କରିିବା ପାଇଁ ନନ୍ଦକୁ ବାରମ୍ବାର ଟ୍ରାଙ୍କୁଲାଇଜ କରାଯାଉଥିଲା । ବାରମ୍ବାର ଟ୍ରାଙ୍କୁଲାଇଜ କରାଯିବାରୁ ନନ୍ଦର ଶିରା ପ୍ରଶିରା ଦୁର୍ବଳ ହୋଇଯାଇଥିବ । ମୃତ୍ୟୁ ପାଇଁ ଏହା ଏକ କାରଣ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି ।

୧୦ ବର୍ଷ ବୟସ ହୋଇଥିବା ବେଳେ ଚର୍ଚ୍ଚାକୁ ଆସିଥିଲା ଏହି ଦନ୍ତା । ୧୯୯୭, ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡି ମାରି ଦେଇଥିଲା । ଏହାପରେ ତାହାକୁ ହାତୀଶାଳରେ ବନ୍ଦୀ କରି ରଖାଯାଇଥିଲା । ୧୩ ବର୍ଷ ଧରି ବନ୍ଦୀ ଜୀବନ ବିତାଇଥିଲା ନନ୍ଦ । ୨୦୧୦ ସେପ୍ଟେମ୍ବର ୧୩ରେ ଶିକୁଳି ମୁକ୍ତ ହୋଇଥିଲା । ଚନ୍ଦକା ନେବାକୁ ବାରମ୍ବାର ଚେଷ୍ଟା କରାଯାଇଥିଲେ ବି ବିଫଳ ହୋଇଥିଲା ବନ ବିଭାଗ । ୨୦୧୦ ଅକ୍ଟୋବର ୨୫ ତାରିଖରେ ଟ୍ରାଙ୍କୁଲାଇଜ କରି ଟ୍ରକରେ ଚନ୍ଦକା ନିଆଯାଇଥିଲା । ନନ୍ଦର ଉତ୍ପାତ କମାଇବା ପାଇଁ ତାର ଦାନ୍ତକୁ ଅଧା କଟା ଯାଇଥିଲା ଶବ ବ୍ୟବଛେଦ ପରେ ଚନ୍ଦକା ଅଭୟାରଣ୍ୟର ଗୋଡିବାରିରେ ମାଟି ତଳେ ନନ୍ଦକୁ ପୋତିଦିଆଯିବ ।