ବାପାକୁ ମାରିଦେଲା ହାତୀ ! ବାପ ଛେଉଣ୍ଡ ପୁଅ ମାଗିଲେ ବନ ବିଭାଗକୁ ଜବାବ ।

32

କନକ ବ୍ୟୁରୋ : ହାତୀ-ମଣିଷ ଲଢ଼େଇର ଅନେକ କାହାଣୀ ଆପଣ ଦେଖିଥିବେ । ହେଲେ ସମ୍ବଲପୁର ଜିଲ୍ଲାରୁ ଆସିଥିବା ଏକ ଖବର ଆପଣଙ୍କ ହୃଦୟକୁ ତରଳାଇ ଦେବ । ହାତୀ ଆକ୍ରମଣରେ ଉଜୁଡି ଯାଇଛି ଗୋଟିଏ ପରିବାର । ହାତୀ ଆକ୍ରମଣରେ ବାପାଙ୍କ ଜୀବନ ଚାଲିଗଲା, ବାପା ଛେଉଣ୍ଡ ହୋଇଗଲେ ଦୁଇ ପୁଅ । ଆଉ ଏଭଳି ସ୍ଥିତିରେ ହାତୀ ଆକ୍ରମଣରେ ବାପାଙ୍କୁ ହରାଇଥିବା ଦୁଇ ପୁଅ ବନ କର୍ମଚାରୀଙ୍କୁ ମାଗୁଛନ୍ତି ଜବାବ୍ ।

ବାପା ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ନାବାଳକ ପିଲା । ହାତୀ ଆକ୍ରମଣରେ ବାପା ଚାଲିଗଲେ । ଏବେ କିଏ ବୁଝିବ ତାଙ୍କ କଥା ? କେମିତି ହେବ ଭରଣ ପୋଷଣ ? କେମିତି ଚଳିବ ପରିବାର ? କୁନି ପିଲାଙ୍କ ମୁହଁରୁ ଏଭଳି ପ୍ରଶ୍ନବାଣ ବନ କର୍ମଚାରୀଙ୍କୁ ବି ଆବାକ୍ କରିଦେଇଛି ।

ଘଟଣାଟି ହେଉଛି ସମ୍ବଲପୁର ଜିଲ୍ଲା ବଡମାଳ ରେଂଜ୍ ଝୁଟାମୁଣ୍ଡା ଗାଁର । ଗତ ୨୧ ତାରିଖ, ହାତୀ ଆକ୍ରମଣରେ ଗାଁର ତିରୁପତି ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ଆଉ କ୍ଷୟକ୍ଷତି ଆକଳନ ପାଇଁ ଗାଁରେ ବନ କର୍ମଚାରୀ ଗାଁରେ ପହଂଚିଥିବା ବେଳେ ଏମାନଙ୍କୁ ଘେରି ଥିଲେ ତିରୁପତି ମୁଣ୍ଡାଙ୍କ ଦୁଇ ପୁଅ ।

ଗାଁକୁ ହାତୀ କବଳରୁ ସୁରକ୍ଷା ଦେବା ପାଇଁ ଏହି ଦୁଇ କୁନି ପିଲା ଗୁହାରୀ କରିବା ସହ ବାପାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କରିଥିଲେ । ବଡ କଥା ହେଉଛି ଦେଢ଼ ବର୍ଷ ଭିତରେ ହାତୀ ଆକ୍ରମଣରେ ବଡମାଳ ରେଂଜରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ରେଢ଼ାଖୋଲ ଅଂଚଳର ୬ଟି ରେଂଜରେ ୯୦ଟି ହାତୀ ଘୁରି ବୁଲୁଛନ୍ତି । ଯେଉଁମାନେ ସ୍ଥାନୀୟ ଅଂଚଳରେ ଅନେକ କ୍ଷୟକ୍ଷତି ଘଟାଉଛନ୍ତି ।