ଚମତ୍କାର ! ହାତୀପଲ ଠାରୁ ରକ୍ଷା କରିବା ପାଇଁ ୪ବର୍ଷୀୟ ଶିଶୁକୁ ଗୋଡ଼ ତଳେ ଲୁଳାଇ ରଖିଲା ଏକ ହାତୀ

431

କନକ ବ୍ୟୁରୋ : ୪ବର୍ଷୀୟ ଶିଶୁକୁ ସୁରକ୍ଷା ଦେଲା ହାତୀ । ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ଶିଶୁଟି ସ୍କୁଟରରୁ ଖସିପଡିଥିଲା । ଆଉ ତାକୁ ଘେରି ଯାଇଥିଲେ ହାତୀପଲ । ଏହି ସମୟରେ ପଲର ଅନ୍ୟ ହାତୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ହାତୀ ଶିଶୁଟିକୁ ନିଜ ଦୁଇ ଗୋଡ ମଝିରେ ସୁରକ୍ଷିତ ଭାବେ ଧରି ରଖିଥିଲା । ଏହି ଘଟଣାଟି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଜଲପାଇଗୁଡିରେ । ଗରୁମାରା ଜଙ୍ଗଲ ଦେଇ ଯାଇଥିବା ୩୧ନମ୍ବର ଜାତୀୟ ରାଜପଥରେ ୪ବର୍ଷୀୟ ଆହାନା ନିଜ ପରିବାର ସହ ଯାଉଥିବା ସମୟରେ ଏହି ଘଟଣା ଘଟିଛି । ଜଙ୍ଗଲରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା କରି ଲାଟାଗୁରିକୁ ଫେରୁଥିଲେ ଆହାନ ଓ ତାଙ୍କ ପରିବାର ।

ଏହି ସମୟରେ ଜଙ୍ଗଲ ମଝି ରାଜପଥ ଦେଇ ହାତୀ ପଲ ଯାଉଥିବା ଦେଖି ତାଙ୍କ ବାପା ସ୍କୁଟିକୁ ଅଟକାଇ ଦେଇଥିଲେ । ହାତୀପଲ ଯାଇ ସାରିବା ପରେ ପୁଣି ଥରେ ସେ ଯାତ୍ରା ଆରମ୍ଭ କରିଥିଲେ ଠିକ୍ ଏହି ସମୟରେ ଜଙ୍ଗଲ ଭିତରୁ ଆଉ କିଛି ହାତୀ ରାସ୍ତା ଉପରକୁ ଚାଲି ଆସିଥିଲେ । ଯାହା ଦେଖି ଆହାନାଙ୍କ ବାପା ହଠାତ୍ ବ୍ରେକ ମାରିଦେବା ପରେ ଆହାନା ଗାଡିରୁ ଖସିପଡିଥିଲେ । ଠିକ୍ ଏହି ସମୟରେ ହାତୀ ପଲର ଗୋଟିଏ ହାତୀ ନିଜ ଦୁଇ ଗୋଡ ମଝିରେ ଆହାନାଙ୍କୁ ସୁରକ୍ଷିତ ଭାବେ ଧରିରଖିଥିଲେ । ହାତୀପଲଟି ରାସ୍ତା ପାରି କରିସାରିବା ପରେ ହାତୀଟି ଆହାନାଙ୍କୁ ସୁରକ୍ଷିତ ଛାଡିଦେଇଥିଲା ।