ସୁନ୍ଦରଗଡ଼ରେ ହାତୀ ଉତ୍ପାତ ! ଘଉଡେଇବାରେ ବନ କର୍ମଚାରୀଙ୍କ ସହ ସାମିଲ ହେଲେ ସ୍ଥାନୀୟ ବିଧାୟକ

21

କନକ ବ୍ୟୁରୋ: ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନକର୍ମଚାରୀଙ୍କ ଟିମ୍ ସହ ସାମିଲ ହୋଇଛନ୍ତି ବିଧାୟକ । ସୁନ୍ଦରଗଡ଼ ହେମଗିରି ଫରେଷ୍ଟ ରେଂଜ ଅଂଚଳରେ ପାଖାପାଖି ୧୦ଟି ଗାଁରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଛି । ହାତୀପଲଙ୍କୁ ଘଉଡ଼େଇବା ପାଇଁ ଆରମ୍ଭ ହୋଇଛି ଅଭିଯାନ ।

ହାତୀପଲଙ୍କୁ ଘଉଡ଼ାଇବା ପାଇଁ ରେଂଜର ଟିମ୍ ସହ ସାମିଲ ହୋଇଛନ୍ତି ସଦର ବିଧାୟକ ଯୋଗେଶ ସିଂ । ବଡ଼ରାମ୍ପୁଆରୁ ଗର୍ଜନ ପାହାଡ଼ ପର୍ଯ୍ୟନ୍ତ ହାତୀ ଘଉଡ଼େବା କାର୍ଯ୍ୟ ଚାଲିଥିଲା । ସ୍ଥାନୀୟ ଅଂଚଳରେ ୨୭ରୁ ଅଧିକା ବଣୁଆ ହାତୀ ଉପଦ୍ରବ କରୁଥିବାରୁ ସ୍ଥାନୀୟ ଅଧିବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯାହାକୁ ନେଇ ଗତକାଲି ହେମଗିରି ଫରେଷ୍ଟ ରେଂଜ ଅଫିସ ଘେରାଉ କରିଥିଲେ ସ୍ଥାନୀୟ ବାସିନ୍ଦା ।

ସୂଚନା ମୁତାବକ, ଗତ ୧୪ ତାରିଖରୁ ପାଖାପାଖି ୧୮ରୁ ଅଧିକ ହାତୀଙ୍କ ଏକ ପଲ ହେମଗିରି ଫରେଷ୍ଟ ରେଂଜର ଜୁଲୁମବାହାଲ ପଂଚାୟତ ବଡ ରଂପିଆ, ପୁରୁନା, ବେହେରାମୁଣ୍ଡା, ଖୁର୍ସି ଆଦି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଛନ୍ତି । ରାତି ହେଲେ ଅଂଚଳରେ ଭୟ ଖେଳିଯାଉଛି । ଖାଲି ସେତିକି ନୁହେଁ ଏହି ଅଂଚଳର ପାଖାପାଖି ୫୦ରୁ ଅଧିକ ଘର ମଧ୍ୟ ହାତୀ ପଲ ଭାଙ୍ଗି ଦେଇଛନ୍ତି ।

ସ୍ଥାନୀୟ ଲୋକେ ଏବଂ ବନ ବିଭାଗ ଅଧିକାରୀ ଯେତେ ଚେଷ୍ଟା କଲେ ମଧ୍ୟ ହାତୀ ଘୋଉଡାଇବାରେ ଅସଫଳ ହୋଇଛନ୍ତି । ତେବେ ଏଥିରେ ଅତିଷ୍ଠ ହୋଇ ଗାଁ ଲୋକେ ହାତୀପଲଙ୍କୁ ଘଉଡ଼େଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି ଆଉ ଏହି ଅଭିଯାନରେ ସାମିଲ ହୋଇଛନ୍ତି ସ୍ଥାନୀୟ ବିଧାୟକ ଯୋଗେଶ ସିଂ ।