କନକ ବ୍ୟୁରୋ: ରାସ୍ତା ଉପରେ ଯାତ୍ରୀବାହି ବସକୁ ଆକ୍ରମଣ କଲା ଦନ୍ତାହାତୀ । ବସ ଭିତରେ ଯାତ୍ରୀ ଥିବା ବେଳେ ବାହାରପଟୁ ଆକ୍ରମଣ କରି ଗାଡିର ସାମ୍ନାପଟ କାଚ ଭାଙ୍ଗି ଦେଇଛି ଦନ୍ତା । ହାତୀ ଆକ୍ରମଣର ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠୁଛି ।

Advertisment

ବସରେ ବସି ନିଜ ଗନ୍ତବ୍ୟସ୍ଥଳୀକୁ ଯାଉଥିଲେ ଯାତ୍ରୀ । ଯାତ୍ରୀବାହୀ ବସ୍ ଠିକଣା ସ୍ଥଳରେ ପହଂଚିବା ଆଗରୁ ହାତୀ ହାବୁଡରେ ପଡିଯାଇଥିଲା । ରାୟଗଡାରୁ ଆନ୍ଧ୍ରପ୍ରଦେଶ ପାର୍ବତିପୁରକୁ ଯାଉଥିବା ଘରୋଇ ବସକୁ ଆକ୍ରମଣ କରିଛି ଦନ୍ତା । ପାର୍ବତୀପୁର ଠାରୁ ୫ କିଲୋମିଟର ଦୂର କାଲିକୁଟ ଛକରେ ବସକୁ ଅଟକାଇ ଆତଙ୍କ ଖେଳାଇଛି ହାତୀ । ସୂଚନା ମୁତାବକ ଆର୍ଥମ ଗାଁ ଆଖପାଖରେ ପନିପରିବା ଓ କଦଳୀ ଚାଷ ହେଉଛି । ହାତୀ ଖାଦ୍ୟ ଅନ୍ୱେଷଣରେ ବାରମ୍ବାର ଏହି ଗାଁକୁ ଆସିଥାନ୍ତି । ଗାଁ ମୁହାଁ ହୋଇଥିବା ଦନ୍ତା ଯାତ୍ରୀବାହୀ ବସ ଆଗକୁ ଚାଲିଆସିଥିଲା । ବସକୁ ଦେଖି ଦନ୍ତା ରାସ୍ତା ଉପରେ ଛିଡା ହୋଇଯିବାରୁ ଲୋକେ ଆତଙ୍କିତ ହୋଇଥିଲେ । ଲୋକେ ପାଟିତୁଣ୍ଡ କରିବାରୁ ହାତୀଟି ବସକୁ ଆକ୍ରମଣ କରୁଥିଲା । ବସ୍ରେ ଥିବା ଯାତ୍ରା ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଛନ୍ତି ।

ସୁନ୍ଦରଗଡରେ ବଣୁଆ ହାତୀ ଉପଦ୍ରବ ଜାରି ରହିଛି । ଧାନ ଚାଷ ହେଉଥିବା ସମୟରେ ୨୨ଟିକିଆ ହାତୀ ପଲ ଗାଁ ଭିତରକୁ ପଶି ଆତଙ୍କ ଖେଳାଉଛନ୍ତି । ଏକର ଏକର ଫସଲ ଖାଇ ନଷ୍ଟ କରି ଦେଉଛନ୍ତି । ପ୍ରାୟ ୭ ଦିନରୁ ଅଧିକ ଦିନ ହେଲା ତୁଡାଲଗାରେ ଗାଁରେ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗିରୁଜି ପକାଇଛନ୍ତି ହାତୀ ପଲ । ମହାବୀର ପାହାଡ ତଳ ଅଂଚଳର ଲୋକମାନେ ବେଶୀ ପ୍ରଭାବିତ ହେଉଛନ୍ତି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜଟିଆ ଗାଁ ନିକଟରେ ପଶିଛନ୍ତି ୨୫ ଟିକିଆ ହାତୀପଲ । ସଂଧ୍ୟା ହୋଇଗଲେ ହାତୀପଲ ଗାଁ ଭିତରେ ପଶି ଆତଙ୍କ ଖେଳାଉଛନ୍ତି । ଆଖି ଆଗରେ ଯାହା ପଡୁଛି ଭାଙ୍ଗିରୁଜି ନଷ୍ଟ କରୁଛନ୍ତି । ହାତୀ ଭୟରେ ସଂଜ ହେଲେ ଲୋକେ ଘରୁ ବାହାରୁନଥିବା ବେଳେ ଗାଁଦାଣ୍ଡରେ ତାଟି କବାଟ ପଡିଯାଉଛି । ଚାଷ ସମୟ ହୋଇଥିବାରୁ ହାତି ଗୁଡିକ ପ୍ରାୟ ସବୁଦିନେ ଉପଦ୍ରବ କରୁଛନ୍ତି । ବନବିଭାଗ ପକ୍ଷରୁ ଗାଁରେ ହାତୀ ଘଉଡ଼ାଇବା କାମ ଜାରି ରହିଛି ।